ଓପିଜିସିର ପାଉଁଶ ପୋଖରୀ ପାଚେରୀ ନିର୍ମାଣକୁ ବିରୋଧକଲେ ଗ୍ରାମବାସୀ

ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ତିଲିଆ ମୌଜା ବନହରପାଲିସ୍ଥିତ ଇବଥର୍ମାଲ ଓଡିଶା ପାଓାର ଜେନେରେସନ କର୍ପୋରେସନ (ଓପିଜିସି)ର ପାଉଁଶ ପୋଖରୀର ପାଚେରୀ ନିର୍ମାଣକୁ ସଂସରାଟିକରା ଗ୍ରାମବାସୀଙ୍କ ସହ ତିଲିଆ ପଂଚାୟତର ଲୋକେ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ପାଉଁଶ ପୋଖରୀ ନିର୍ମାଣ ମାମଲା ଏବେ ନେସନାଲ ଗ୍ରୀନ ଟ୍ର୍ୟୁବୁନାଲ (ଏନଜିଟି)ପାଖରେ ରହିଛି। ଏନଜିଟି ଝାରସୁଗୁଡା ଜିଲ୍ଲାପାଳ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମେମ୍ବର ସେକ୍ରେଟାରୀଙ୍କୁ ପାଉଁଶ ପୋଖରୀର ନିର୍ମାଣ ଉପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ପାଉଁଶ ପୋଖରୀ ନିୟମ ଅନୁଯାୟୀ ତିଆରି ହେଉନଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପରବର୍ତୀ ଶୁଣାଣି(ଜାନୁଆରୀ୨୦) ପୂର୍ବରୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ତେବେ ଏନଜିଟିକୁ ପାଉଁଶ ପୋଖରୀର ସମସ୍ତ ତଥ୍ୟ ପ୍ରଦାନ କରିବା ପୂର୍ବରୁ ପାଉଁଶ ପୋଖରୀର ପାଚେରୀ ନିର୍ମାଣ କରାଯାଉଥିବାରୁ ଅଂଚଳବାସୀବାସୀ ଏହାକୁ ବିରୋଧ କରିଛନ୍ତି। ଘଟଣାସ୍ଥଳରେ ଜନ ଅସନ୍ତୋଷ ବିଷୟରେ ଅବଗତ ହେଲାପରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ପାଚେରୀ ନିର୍ମାଣ କାର୍ଯ୍ୟ ସ୍ଥଗିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆସନ୍ତା ୧୮ ତାରିଖ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଲୋକ ଓ କମ୍ପାନୀ କର୍ତୁପକ୍ଷଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେଲାପରେ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ପାଚେରୀ ନିର୍ମାଣ ସମୟରେ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପଳ ଶିବ ଟପ୍ପୋ, ଲଖନପୁର ତହସିଲଦାର ଜ୍ୟୋତ୍ସ୍ନା ରାଣୀ ସହୁ, ଏଏସପି ନୃପ ଚରଣ ଡନସନା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ସଂସାରାଟିକ୍ରା ଗ୍ରାମବାସୀଙ୍କ ବହୁ ବିରୋଧ ସତ୍ୱେ ଓପିଜିସି ପାଉଁଶ ପୋଖରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ଏହାକୁ ବିରୋଧ କରି ସଂସାରୀଟିକରା ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ। ହେଲେ ମଧ୍ୟ ଗ୍ରାମବାସୀଙ୍କ ଦାବି ନ ଶୁଣି ଓ ଥଇଥାନ ନ କରାଇ ପାଉଁଶ ପୋଖରୀ ନିର୍ମାଣ କରାଯାଉଥିବାରୁ ଗ୍ରାମର ମାଁ ଅମ୍ବିକା ଗ୍ରୁପ ଏନଜଟିର ଦ୍ୱାରସ୍ଥ ହୋଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଜନବସତିର ୪୮ ମିଟର ଦୂରରେ ଓପିଜିସି ପାଉଁଶ ପୋଖରୀ ନିର୍ମଣ କରୁଥିବା ଦର୍ଶାଇ୨୦ ମିଟର ଦୂରରେ ତିଆରି କରୁଛି।

ଏହାସହ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତରରୁ ୫୦୦ ମିଟର ଦୂରତାରେ ପାଉଁଶ ପୋଖରୀ ନିର୍ମାଣ କରାଯିବା ପାଇଁ ପଲ୍ୟୁସନ କଂଟ୍ରୋଲ ବୋର୍ଡ ର ନିୟମ ରହିଛି। ଏହାକୁ ମଧ୍ୟ ଓପିଜିସିର ନିର୍ମିତ ହେଉଥିବା ପାଉଁଶ ପୋଖରୀ ଉଲଙ୍ଘନ କରୁଛି ବୋଲି ଅମ୍ବିକା ଗ୍ରୁପ ଅଭିଯୋଗ କରିଥିଲା। ଏନଜିଟି ମହିଳା ଗ୍ରୁପର ଅଭିଯୋଗକୁ ଗ୍ରହଣ ଝାରସୁଗୁଡା ଜିଲ୍ଲାପାଳ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମେମ୍ବର ସେକ୍ରେଟାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଜାନୁଆରୀ ୨୦ରେ ସମସ୍ତ ରିର୍ପୋଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା।

ସଂସାରଟିକରା ଗ୍ରାମର ଜିରୋ ପଏଂଟରେ ପାଉଁଶ ପୋଖରୀ ନିର୍ମାଣ କରାଯାଉଥିବାରୁ ପରିବେଶ ପ୍ରଦୂଷଣ ହେବା ସହ ପୋଖରୀ, କଁଟା, ବନ୍ଧ, ଚାଷ ଜମି ଆଦି ପ୍ରଦୂଷିତ ହୋଇ ସାରିଲାଣି। ପ୍ରଦୂଷିତ ପାଣି ଓ ପାଉଁଶ ପୋଖରୀରର ନିର୍ମାଣ ସମୟରେ ଉଡୁଥିବା ଧୁଳି ଯୋଗୁଁ ଗ୍ରାମରେ ବସବାସ କରିବା କଷ୍ଟକର ହୋଇ ପଡିଲାଣି। ଆଗାମୀ ଦିନରେ ଏଠାରେ ପାଇଁଶ ପୋଖରୀ କାର୍ଯ୍ୟକ୍ଷମ ହେଲେ ଲୋକେ ମୃତ୍ୟୁ ମୁଖରେ ପଡିବା ନିଶ୍ଚିତ ତେଣୁ ଗ୍ରାମାବାସୀଙ୍କୁ ଥଇଥାନ ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ପରେ ପାଉଁଶ ପୋଖରୀ ନିର୍ମାଣ କରାଯାଉ ବୋଲି ଗ୍ରାମବାସୀମାନେ ଦାବି କରିଥିଲେ।

ଏହାସହ ଓପିଜିସି ୟୁନିଟ ୩ ଓ ୪ ର ସମ୍ପ୍ରସାରଣ ପାଇଁ ଜନ ଶୁଣାଣି ଶିବିର ହୋଇଥିଲା ହେଲେ ପାଉଁଶ ପୋଖରୀ ପାଇଁ ଜମି ଅଧିଗ୍ରହଣ କରିବା ସମୟରେ କୌଣସି ଜନ ଶୁଣାଣି ହୋଇ ନାହିଁ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି। ସେହିପରି ପାଉଁଶ ପୋଖରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ତିଲିଆ ପଂଚାୟତବାସୀ ବିଭିନ୍ନ ଦାବି ପୂରଣ କରିବା ପାଇଁ ଓପିଜିସି କର୍ତୁପକ୍ଷ ପ୍ରତିଶୃତି ଦେଇଥିଲେ। ହେଲେ ବର୍ତମାନ ପର୍ଯ୍ୟନ୍ତ ଅନେକ ଦାବି ପୂରଣ ହୋଇ ନାହିଁ ବୋଲି ତିଲିିଆ ସରପଂଚ ଠନସୁନ୍ଦର ସାହୁ କହିଛନ୍ତି। ଅନ୍ୟପଟେ ପାଉଁଶ ପୋଖରୀ ପାଇଁ ତିଲିଆ ମୌଜାରେ ଜମି ଅଧି ଗ୍ରହଣ କରାଯାଇଛି। ସଂସାରାଟିକ୍ରା ଗ୍ରାମ ରମ୍ପେଲା ପଂଚାୟତ ଅଧିନରେ ରହିଛି। ତେଣୁ ଏହି ଗ୍ରାମକୁ ବିସ୍ଥାପିତ କରିବାର କୌଣସି ଆବଶ୍ୟକତା ରହି ନାହିଁ। ଗ୍ରାମଠାରୁ ୪୮ ମିଟର ଦୂର ଓ ହୀରାକୁଦ ଜଳ ଭଣ୍ଡାରରୁ ୫ଶହ ମିଟର ଦୂରରେ ପାଉଁଶ ପୋଖରୀ ନିର୍ମାଣ କରାଯାଉଛି ବୋଲି କମ୍ପାନୀ କର୍ତୁପକ୍ଷ ସଫେଇ ଦେଇଥିଲେ।