ମୁମ୍ବାଇରେ ବର, ବରେଲିରେ କନ୍ୟା, ରାୟପୁର ପଣ୍ଡିତ, ଅନଲାଇନରେ ସମ୍ପର୍ଣ୍ଣ ହେଲା ବିବାହ

ମୁମ୍ବାଇ,ଏଜେନ୍ସି: କରୋନା ପାଇଁ ଅନେକ କଟକଣା ଜାରି କରାଯାଇଥିବା ବେଳେ ଏ ନେଇ ସାମାଜିକ ଦୂରତ୍ୱକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ତେବେ ଏହି ସମୟଟା ବାହାଘରର ସମୟ ହୋଇଥିବାରୁ ଅନେକ ତିଥି ମାଡ଼ ଖାଇଯାଉଛି। ଏ ନେଇ ଲୋକେ ବିବାହକୁ ଟାଳିବା ପରିବର୍ତ୍ତେ ଭିନ୍ନ ଭିନ୍ନ ଉପାୟରେ ବାହାଘର କରୁଛନ୍ତି। ଏଥିରେ କେଉଁଠି ବିନା ହାତ ଘଣ୍ଟିରେ ବାହାଘର ତ କେଉଁଠି ସାଧା ବାହାଘର। ଏଭଳି ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବିବାହ ସମ୍ପର୍ଣ୍ଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇରେ ବର ରାଜା ସୁଷେଣ ଓ ୧୪୦୦ କିଲୋମିଟର ଦୂର ଉତ୍ତର ପ୍ରଦେଶର ବରେଲିର ଝିଅ କୀର୍ତ୍ତି ନାରଙ୍ଗଙ୍କ ବିବାହ ଭିଡିଓ କନଫରେନ୍ସିଂ ଜରିଆରେ ସଂପନ୍ନ ହୋଇଛି । ଏହି ବିବାହରେ ୧୫୦ ଜଣ ବରଯାତ୍ରୀ ଥିଲେ । ବିବାହ ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଥିଲା । ଛତିଶଗଡ଼ର ରାଜଧାନୀ ରାୟପୁରର ପଣ୍ଡିତ ଜଣକ ମନ୍ତ୍ରପାଠ କରି ବିବାହ କାର୍ୟ୍ୟ ସଂପନ୍ନ କରିଥିଲେ ।

ସୂଚନାଯୋଗ୍ୟ, ସୁଷେଣ କାନାଡାରେ ଏକ ଆଇଟି କମ୍ପାନୀରେ କାମ କରନ୍ତି । ତାଙ୍କ ମା’-ବାପା ମୁମ୍ବାଇରେ ରୁହନ୍ତି । ସେ ବିବାହ ପାଇଁ ମୁମ୍ବାଇ ଆସିଥିଲେ । ରବିବାର ତାଙ୍କ ବିବାହ ଉତ୍ତରାଖଣ୍ଡରରେ ହେବାର ଥିଲା । ଏଥି ପାଇଁ ବିବାହ ମଣ୍ଡପ କିଛି ମାସ ପୂର୍ବରୁ ବୁକ ହୋଇଥିଲା । କିନ୍ତୁ କରୋନା ପାଇଁ ଦେଶରେ ଜାରି ରହିଥିବା ଲକଡାଉନ ସେମାନଙ୍କ ଯୋଜନାକୁ ଫେଲ କରିଥିଲା । ଏଭଳି ସ୍ଥିତିରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଅନଲାଇନରେ ବିବାହ କରିବାକୁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ ।

ଝିଅର ପରିବାର ଲୋକେ ସୋସିଆଲ ମିଡିଆରେ ସେତେ ବେଶୀ ସକ୍ରିୟ ନାହାନ୍ତି । ଏଥି ପାଇଁ ସେମାନେ ପୂର୍ବରୁ ଅନଲାଇନ ବିବାହ ନେଇ ଅମଙ୍ଗ ହୋଇଥିଲେ । କିନ୍ତୁ ପୂରା ପ୍ରକ୍ରିୟା ଦେଖି ସେମାନଙ୍କ ପରିବାର ଲୋକେ ମଧ୍ୟ ଖୁସି ହୋଇଯାଇଥିଲେ ।