ଟ୍ରାକ୍ଟରରୁ ପଡି ହେଲପର ମୃତ୍ୟୁ

ଭବାନୀପାଟଣା,ଏନ୍ଏନ୍ଏସ୍ : କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ସାନ ପୋଡ଼ାଗୁଡ଼ା ବିଜୁ ଏକ୍ସପ୍ରେସ ୱେ ରାସ୍ତାର ଏକ କଲଭର୍ଟ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରରୁ ଖସିପଡ଼ି ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଯୁବକ ଜଣକ ବଡ଼ ପୋଡ଼ାଗୁଡ଼ା ପଂଚାୟତ ବାବେକୋହରା ଗ୍ରାମର କିଶୋର ଚିନ୍ଦାଙ୍କ ପୁଅ ଗଜାନନ ଚିନ୍ଦା(୨୨) ବୋଲି ଜଣାପଡିଛି

ସୂଚନା ଅନୁଯାୟୀ, ସୋମବାର ରାତିରେ କୁଲେରଗୁଡ଼ାରୁ ସାନପୋଡ଼ାଗୁଡ଼ା ଯାଉଥିବା ସମୟରେ ଟ୍ରାକ୍ଟର ଡ୍ରାଇଭରର ପଛପଟେ ଥିବା ଡ଼ାଲାରେ ବସିଥିବାବେଳେ ଟ୍ରାକ୍ଟର ଦୋହଲି ଯିବାରୁ ଭାରସାମ୍ୟ ହରାଇ ଟ୍ରାକ୍ଟରରୁ ଯୁବକ ଜଣକ ପଡ଼ିଯାଇଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଆମପାଣି ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗଜାନନର ଶବକୁ ଜବତ କରିବା ସହ ଟ୍ରାକ୍ଟରକୁ ଜବତ କରି ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଆଜି କୋକସରା ଡାକ୍ତରଖାନାକୁ ପଠାଇଥିବା ଜଣା ପଡିଛି । ଏ ନେଇ ଆମପାଣି ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି କରିଥିବା ଆମପାଣି ଥାନା ଅଧିକାରୀ ପୁଷ୍ପାଳୀ ନିଙ୍ଗୀ ସୂଚନା ଦେଇଛନ୍ତି ।