ଗରିବ ଏବଂ ଭିନ୍ନକ୍ଷମଙ୍କୁ ଚାଉଳ ଓ ପନିପରିବା ବାଣ୍ଟି ଓଡ଼ିଆ ନବ ବର୍ଷ ପାଳନ କଲେ ଶିଳ୍ପପତି

ଖଇରା,ଏନ୍ଏନ୍ଏସ୍: କରୋନା ମହାମାରୀ ପାଇଁ ସାରା ଦେଶରେ ଏବେ ଲକଡାଉନ ହୋଇଛି। ଏହି ଲକଡାଉନ ସମୟରେ ପୂଜା ପର୍ବ ପାଳନ କରିବା ଲାଗି ସରକାରଙ୍କ ତରଫରୁ ନିଷ୍ପତି ନିଆଯାଇଛି। ହେଲେ ଆଜି ଓଡିଆ ନବବର୍ଷ ହୋଇଥିବାରୁ ଗରିବ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚାଉଳ ଏବଂ ପନିପରିବା ବାଣ୍ଟି ଓଡ଼ିଆ ନବବର୍ଷ ପାଳନ କଲେ ଖଇରା ଅଞ୍ଚଳର ଶିଳ୍ପପତି।

ଖଇରା ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଯୁବ ସମାଜସେବୀ ଇଂ ରାଜେଶ କୁମାର ମୋହାକୁଡ଼ଙ୍କ ନେତୃତ୍ୱରେ ଗଣ୍ଡିବେଡ଼ର ବିଶିଷ୍ଟ ଶିଳ୍ପପତି ରାମଚନ୍ଦ୍ର ମୋହାକୁଡ଼ ଏବଂ ଏସ୍ଆର୍ ଗ୍ରୁପ୍ ସମ୍ଭାବନା ଟ୍ରଷ୍ଟର ମିଳିତ ସହଯୋଗରେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସମସ୍ତ ଗ୍ରାମ ଓ ୱାର୍ଡ ବୁଲି ୧୫୦ ଜଣ ଦିନମଜୁରିଆ ଓ ଭିନ୍ନକ୍ଷମଙ୍କୁ କରୋନା ସଚେତନତା ବାର୍ତ୍ତା ଦେବା ସହ ସମସ୍ତଙ୍କୁ ୫ କେଜି ଚାଉଳ, ୨କେଜି ଆଳୁ, ୧ କେଜି ଡାଲି, ୫୦୦ ଗ୍ରାମ ପିଆଜ, ଗୋଟିଏ ସାବୁନ ଏବଂ ୨ଟି ମାସ୍କ ବାଣ୍ଟିଥିଲେ।

ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ଇଂ ରାଜେଶ ମୋହାକୁଡଙ୍କ ସମେତ ଶ୍ୟାମସୁନ୍ଦରପୁର ସମିତିସଭ୍ୟ ରବୀନ୍ଦ୍ର ମହାନ୍ତି, ବରିଷ୍ଠ ସମାଜ ସେବୀ ପଦ୍ମଲୋଚନ ଯେନା, ବିଭୂତି ପତି, ପ୍ରତାପ ଗିରୀ, ବିନୋଦ ପତି, ତପନ ଯେନା, ଦିନେଶ ଯେନା ପ୍ରମୁଖ ଗ୍ରମବାସୀ ସହଯୋଗ କରିଥିଲେ। ସମାଜ ସେବୀ ଇଂ ଶ୍ରୀ ମୋହାକୁଡଙ୍କର ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ତାନୀୟ ବାସିନ୍ଦା ପ୍ରସଂଶା କରିଛନ୍ତି।