ମୁମ୍ବାଇ,ଏଜେନ୍ସି: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୭ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଛି। ସାରା ଦେଶରେ ସଂକ୍ରମଣକୁ ନେଇ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହେବା ସହିତ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୩୨୦୨ରେ ପହଞ୍ଚିଛି। କେବଳ ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୭ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସହରର ଧରବି ଅଞ୍ଚଳରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବା ସହିତ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ଇତି ମଧ୍ୟରେ ୧୦୦ ଟପିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସଦ୍ୟତମ ରିପୋର୍ଟ ସୂତ୍ରରୁ ଜଣାପଡ଼ିଛି। ଏହି ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ୧୧,୨୦୧ରେ ପହଞ୍ଚିଥିବା ବେଳେ ୧୭୪୮ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଏହା ଭାରତରେ କରୋନା ସଂକ୍ରମିତଙ୍କ ସର୍ବାଧିକ ଆରୋଗ୍ୟ ହାର ବୋଲି କୁହାଯାଇଛି।