ଦେବଗଡ଼,ଏନ୍ଏନ୍ଏସ୍: ଡଂରା ସେବା ସମବାୟ ସମିତିର ଅବସରପ୍ରାପ୍ତ ପୂର୍ବତନ ସମ୍ପାଦକ ମହେଶ୍ୱର ବେହେରାଙ୍କ କାର୍ଯ୍ୟକାଳ ସମୟରେ ଅନିୟମିତତା ଯୋଗୁ ପ୍ରାୟ ୨୦ ଲକ୍ଷ ଟଙ୍କାର ଅଡିଟ ରିକୋଭରି ପାଇଁ ନିର୍ଦ୍ଦେଶ ଥିଲା । ୨୦୨୧-୨୨ ଆର୍ôଥକ ବର୍ଷରେ ଅଡିଟ ନହେବା ସହ ଗ୍ରାଚୁଇଟି ପାଇଁ ବଜେଟରେ ବ୍ୟବସ୍ଥା କରିନଥିବା କାରଣରୁ ବୋର୍ଡ ମଞ୍ଜୁରୀ ପ୍ରଦାନ କରୁନଥିଲା । ଗ୍ରାଚୁଇଟି ପ୍ରଦାନରେ ସମସ୍ୟା ହେଉଥିବା ଜାଣି ମଧ୍ୟ ଶ୍ରୀ ବେହେରା ତାଙ୍କ ପୁଅ ଚୋଡ଼ଗଙ୍ଗ ବେହେରାଙ୍କୁ ଲଗାଇ ବର୍ତ୍ତମାନର ସଭାପତି ପ୍ରତାପ ପ୍ରଧାନ ଓ ସମ୍ପାଦକ ଖଗେଶ୍ୱର ବିଶ୍ୱାଳଙ୍କୁ ହତ୍ୟା ଧମକ ଦେବାସହ ସେବା ସମବାୟ କାର୍ଯ୍ୟାଳୟରେ ନିଆଁ ଲଗାଇବାକୁ ଧମକ ଦେଉଥିବା ନେଇ ଆଜି ବାରକୋଟ ଥାନାରେ ଡଂରା ସେବା ସମବାୟ ସମିତିର ସଭାପତି ଓ ସମ୍ପାଦକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ପୂର୍ବାହ୍ନରେ ଡଂରା ସେବା ସମବାୟ ସମିତିର ସଭାପତି ପ୍ରତାପ ପ୍ରଧାନ ଓ ସମ୍ପାଦକ ଖଗେଶ୍ୱର ବିଶ୍ୱାଳ ଥାନରେ ପହଞ୍ଚି ପୂର୍ବତନ ସମ୍ପାଦକ ମହେଶ୍ୱର ବେହେରା ଓ ତାଙ୍କ ପୁଅ ଚୋଡ଼ଗଙ୍ଗ ବେହେରା ସେବା ସମବାୟ ସମିତି କାର୍ଯ୍ୟାଳୟର କର୍ମଚାରୀଙ୍କୁ ମଧ୍ୟ ନାନା ସମୟରେ ଧମକ ଚମକ ଦେଉଥିବା ନେଇ ଲିଖିତ ଅଭିଯୋଗ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।