ଦେବଗଡ/ରିଆମାଳ,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଳ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ରିଆମାଳ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ରିଆମାଲ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଂଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଳ ଗ୍ରାମର ସନ୍ତୋଷ ପ୍ରଧାନ (୫୩) ଗତକାଲି ମଧ୍ୟାହ୍ନରେ ଛତାବର –କଙ୍କରଖୋଳ ରାସ୍ତା କଡରେ ଥିବା ସତୀଘାଟ ଚେକଡ୍ୟାମକୁ ଗାଧେଇବାକୁ ଆସିଥିଲେ । ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଏଣେ ତେଣେ ଖୋଜା ଖୋଜି କରିଥିବା ବେଳେ ରାତ୍ରୀ ପ୍ରାୟ ୯ ଟା ସମୟରେ ସତୀଘାଟ ଚେକଡ୍ୟାମ ନିକଟରେ ତାଙ୍କ ବାଇକ ଛିଡା ହୋଇଥିବା ଦେଖିବାକୁ ପାଇଥିଲେ। ଚେକଡ୍ୟାମ ନିକଟରେ ଖୋଜା ଖୋଜି ବେଳେ ପାଣି ମଧ୍ୟରେ ସନ୍ତୋଷଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇବାରୁ ଗତକାଲି ରାତ୍ରୀରେ ପରିବାର ଲୋକେ ରିଆମାଳ ଥାନାରେ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଥିବା ବେଳେ ରାତ୍ରୀ ଅନ୍ଧାର କାରଣରୁ ଅଧିକ ତଦନ୍ତ କରିପାରି ନ ଥିଲା ।
ଆଜି ସକାଳେ ଘଟଣା ସ୍ଥଳରେ ପୁଲିସ ଗ୍ରାମବାସୀଙ୍କ ସହାୟାତରେ ପାଣି ମଧ୍ୟରୁ ମୃତଦେହ ଉଦ୍ଦାର କରିବା ପରେ ସନ୍ତୋଷଙ୍କ ମୁଣ୍ଡରେ କୁରାଢରେ ଆକ୍ରମଣ କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ପୁଲିସ ସାଇଂଟିଫିକ ଟିମର ସହାୟତା ନେଇ ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ମୃତ ସନ୍ତୋଷଙ୍କ ସହ ଉକ୍ତ ଗ୍ରାମର ଜୈନେକ ବ୍ୟକ୍ତିଙ୍କ ସହ ଗତ କିଛିଦିନ ପୂର୍ବେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ମୃତ ସନ୍ତୋଷଙ୍କୁ କୁଆଡେ ହତ୍ୟା ଧମକ ଦେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ସନ୍ତୋଷଙ୍କ ପୁଅ ଅନୀଲ ରିଆମାଳ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।