ନୂଆଦିଲ୍ଲୀ, ଏଜେନ୍ସି : ଯେଉଁମାନେ ଦେଶରେ ନାନା ପକ୍ଷପାତର ଶିକାର ହେଉଛନ୍ତି, ସେମାନଙ୍କ ପାଇଁ ଭାରତୀୟ ନାଗରିକତା ଜରୁରି ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତୀୟ ନାଗରିକତା (ସଂଶୋଧନ) ବିଲ ଅନୁମୋଦନ ଲାଭ କରିଛି। ଏହି ବିଲ କାର୍ଯ୍ୟକାରୀ ଫଳରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ବାସ କରୁଥିବା ଅଣ-ମୁସଲିମ ପରିବାର ଭାରତୀୟ ନାଗରିକତା ଲାଭ କରିପାରିବେ। ହିନ୍ଦୁସ୍ତାନ ଟାଇମ୍ସ ନେତୃତ୍ୱ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ପଡ଼ୋଶୀ ଦେଶରେ ବହୁ ଅଣ-ମୁସଲିମ ପରିବାର ନାନା ପକ୍ଷପାତର ଶିକାର ହେଉଛନ୍ତି। ସେମାନଙ୍କ ଭାରତୀୟ ନାଗରିକତା ଲାଭ ବାଟକୁ ସହଜ କରିବା ପାଇଁ ସରକାର ସଂସଦରେ ନାଗରିକତା (ସଂଶୋଧନ) ବିଲ ଆଗତ କରିବାକୁ ଯାଉଛନ୍ତି।’
ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ତାରିଫ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆମର ଆସନ୍ତାକାଲି ଉଜ୍ଜ୍ୱଳ ବୋଲି ରାମଜନ୍ମଭୂମି ରାୟରୁ ପ୍ରମାଣିତ ହୋଇଛି। ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଦେଶରେ ଅରାଜକତା ହେବ ବୋଲି ଅଧିକାଂଶ ଲୋକେ ଭାବୁଥିଲେ। କିନ୍ତୁ ଦେଶବାସୀ ତାକୁ ଭୁଲ ପ୍ରମାଣିତ କରିଛନ୍ତି।’
ସେ ପୁଣି କହିଛନ୍ତି, ଜମ୍ମୁ-କଶ୍ମୀରରୁ ଧାରା-୩୭୦ ଉଚ୍ଛେଦ କରି କେନ୍ଦ୍ର ସରକାର ସେଠାକାର ବାସିନ୍ଦାଙ୍କ ମନରେ ନୂତନ ଆଶା ସଞ୍ଚାର କରିବାକୁ ସକ୍ଷମ ହୋଇଛନ୍ତି। ଅତି ଗରିବ ପରିବାର ନିକଟରେ ପ୍ରଶାସନକୁ ପହଞ୍ଚାଇବା କେନ୍ଦ୍ର ସରକାରଙ୍କ ମୂଳ ଉଦ୍ଦେଶ୍ୟ। ଦେଶର ୧୫ କୋଟି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ।