ବାଲିଗୁଡା,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଚୋରାଚାଲାଣ ହେଉଥିବା ୧୫ ଖଣ୍ଡ ଶାଳକାଠ ସହ ଏକ ମିନିଟ୍ରକକୁ ବନ ବିଭାଗ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ୪ଜଣ କାଠମାଫିଆଙ୍କୁ ବନ ବିଭାଗ କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ବଡଗଡ଼ ଗ୍ରାମର କାହ୍ନୁ ଚରଣ ମହାକୁଡ଼, ବ୍ରାହ୍ମଣୀଗାଁର ଆପୁ ମାଝି, ସୁନେସ ମୁଠାମାଝି, ଓ ଗୁରୁବାରୀ ମାଝି ।
ସୂଚନାରୁ ପ୍ରକାଶ, ଉକ୍ତ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ଦୃର୍ବୃତ୍ତମାନେ ପୂର୍ବରୁ ବଡ଼ ବଡ଼ ଶାଳ ଗଛ କାଟି ଦେଇଥିଲେ । ତାକୁ ବିଳମ୍ବିତ ରାତିରେ ଏକ ମିନିଟ୍ରକରେ ଲୋଡ୍ କରି ଭୋରରେ ବଡ଼ଗଡ଼କୁ ବେଆଇନ୍ ଚାଲାଣ କରାଯାଉଥିଲା । ଖବର ପାଇ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରାଙ୍କ ନିର୍ଦ୍ଦେଶକ୍ରମେ ବନପାଳ ନବୀନ ଚନ୍ଦ୍ର ମଲ୍ଲିକ, ବନରକ୍ଷୀ ଦୀପକ ପଟ୍ଟନାୟକ, ମନୋରଞ୍ଜନ ପରିଚ୍ଛା, ପ୍ରଫୁଲ୍ଲ ଚୌଧୁରୀ ପ୍ରମୁଖ ସଦଳବଳ ଚଢ଼ାଉ କରି ଗାଡ଼ି ସହ କାଠ ଜବତ କରିଥିଲେ ।