ଭୁବନେଶ୍ୱର,ଏନ୍ଏନ୍ଏସ୍: ମାର୍ଚ୍ଚ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ରାଜ୍ୟରେ ଚଳିତବର୍ଷ କୌଣସି ସ୍କୁଲରେ ଯେପରି ଫେଲ୍ ନରହେ ସେଥିପାଇଁ ମିଶନ ଜିରୋ ଫେଲ୍ ପାଇଁ ବିଭାଗ ପକ୍ଷରୁ ବ୍ଲୁ-ପ୍ରିଣ୍ଟସ୍ ଆରମ୍ଭ ହୋଇଛି। ପରୀକ୍ଷା ଦେବାକୁ ଥିବା ପରୀକ୍ଷାଥିଙ୍କ ଲାଗି ରିଭିଜନ ଟେଷ୍ଟ୍ ସମେତ ପରୀକ୍ଷା କେନ୍ଦ୍ରଗୁଡିକର ଭିତ୍ତିଭୂମି ଏବଂ ମୁଲ୍ୟାଙ୍କନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଲାଗି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଏହାବ୍ୟତୀତ ଶାନ୍ତିଖୃଙ୍ଖଳାର ସହ ଯେପରି ପରୀକ୍ଷା ଶେଷ ହେବ ସେଥିଲାଗି ସବୁ ସ୍ତରରେ ଗୁରୁତ୍ୱ ଦେବାକୁ ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶଥାଉ କି, ପୂର୍ବରୁ ମାଟ୍ରିକ ପରୀକ୍ଷାରେ ଆବଶ୍ୟକ ସଂସ୍କାର ଅଭାବରୁ ଅନେକ ବ୍ୟତିକ୍ରମ ସୃଷ୍ଟି ହେଉଥିଲା। ଏପରକି ୬ଶହର ୁ ଅଧିକ ସ୍କୁଲରେ ରେଜଲ୍ଟ ଶୂନ ରହିଥିବା ବେଳେ ଅନେକ ସ୍କୁଲରେ ରେଜଲ୍ଟ ଅତ୍ୟନ୍ତ ନୈରାଶ୍ୟଜନକ ସ୍ଥିତି ରହିଥିଲା। ସେହି ପରିପ୍ରେକ୍ଷୀରେ ସିବିଏସଇ ଏବଂ ଆଇସିଏସଇ ରେଜଲ୍ଟ ଆଗୁଆ ରହୁଛି। ଫଳରେ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା କ୍ଷେତ୍ରରେ ପଛୁଆ ରହିଯାଉଛନ୍ତି। ଏପରି ସମସ୍ୟାର ସମାଧାନ ଲାଗି ଗତ ୬ମାସ ହେବ ବିଭାଗ ପକ୍ଷରୁ ଗୁରୁତ୍ୱ ଦେଇଆସୁଥିବା ବେଳେ ସ୍କୁଲସ୍ତରରେ ଶିକ୍ଷାଦାନ ପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ସବୁ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ମଧ୍ୟ ନର୍ଦ୍ଦେଶ ଦିଆଯାଇଥିଲା। ଏପରକି ପୂର୍ବବର୍ଷ ଅପେକ୍ଷା ଏଥର ରେଜଲ୍ଟରେ ମଧ୍ୟ ଭଲ ପ୍ରଦର୍ଶନ ରହିବ ବୋଲି ଆଶା କରାଯାଉଛି। ଆସନ୍ତା ୩ସପ୍ତାହ ମଧ୍ୟରେ ସବୁ ପରୀକ୍ଷା କେନ୍ଦ୍ରଗୁଡିକର ସ୍ଥିତି ଅନୁଧ୍ୟାନ କରି ରିର୍ପୋଟ ଦେବାକୁ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସାଙ୍ଗକୁ ଯେପରି ସବୁ ପରୀକ୍ଷା କେନ୍ଦ୍ରରେ ପାଚେରୀ, ମୁଖ୍ୟ ଫାଟକ ସମେତ ଶ୍ରେଣୀରେ ସିସି କ୍ୟାମେରା, ପ୍ରଶ୍ନପତ୍ର ରଖିବା ଲାଗି ଡିଜିଟାଲ ଲକର ଆଦି ରଖାଯିବାକୁ ମଧ୍ୟ କୁହାଯାଇଛି। ତେବେ ଯେଉଁ ସବୁ ସ୍କୁଲକୁ ପରୀକ୍ଷାକେନ୍ଦ୍ର ଭାବେ ଚୟନ କରାଯିବ ସମ୍ପୃକ୍ତ ସ୍କୁଲଗୁଡିକରେ କେତେ ଶ୍ରେଣୀରେ ସିସି କ୍ୟାମେରା ରହିଛି ଏବଂ କେତୋଟି କାର୍ଯ୍ୟକ୍ଷମ ତାହାର ଯାଞ୍ଚ ଲାଗି ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ସବୁ ମାଧ୍ୟମିକ ସ୍କୁଲର ଉନ୍ନତି ଦିଗରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଯେଉଁସବୁ ସ୍କୁଲରେ ଅଧିକ କପି ହେଉଥିବାର ଅଭିଯୋଗ ରହିଛି ସେହି ସ୍କୁଲରେ ଏଥର ଅଧିକ କଟକଣା ଲାଗୁ କରାଯିବ। ଆବଶ୍ୟକ ହେଲେ ସମ୍ପୃକ୍ତ ସ୍କୁଲଗୁଡିକରେ ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା କରାଯିବ ନାହିଁ। କପି ରୋକିବା ଏବଂ ଠିକ୍ ମୁଲ୍ୟାଙ୍କନ କରିବା ଉପରେ ଏଥର ସର୍ବାଧିକ ଗୁରୁତ୍ୱ ଦିଆଯିବ। ସେହିପରି ଚଳିତବର୍ଷ ବାତ୍ୟା ଲାଗି କିଛି ସ୍କୁଲରେ କୋର୍ସ ଶେଷ ହୋଇପାରି ନାହିଁ, ସେହି ସ୍କୁଲରେ ଜାନୁଆରୀ୨ୟ ସପ୍ତାହ ମଧ୍ୟରେ କୋର୍ସ ଶେଷ କରି ରିଭିଜନ ଆରମ୍ଭ କରିବା ସହ ପରୀକ୍ଷା ପର୍ଯ୍ୟନ୍ତ ସ୍କୁଲ ତରଫରୁ ପିଲାଙ୍କୁ ଗାଇଡ୍ କରିବାକୁ କୁହାଯାଇଛି। କୌଣସି ଗରିବ ମେଧାବୀ ଯେପରି ଅସୂୁବିଧାର ସମ୍ମୁଖୀନ ନହୁଏ ସେଥିଲାଗି ପ୍ରଧାନଶିକ୍ଷକ ନଜର ରଖିବାକୁ ମଧ୍ୟ କୁହାଯାଇଛି। ଗଣଶିକ୍ଷା ବିଭାଗର ମନ୍ତ୍ରୀ ଏବଂ ସଚିବ ବିଭିନ୍ନ ପରୀକ୍ଷାକେନ୍ଦ୍ର ଅଚାନକ ଗ୍ରସ୍ତ କରି ସମସ୍ୟାର ଯାଞ୍ଚ କରିବେ ବୋଲି ଜଣାପଡ଼ିଛି।
ସେହିପରି ୨୦୨୦ ମାଟ୍ରିକ ପରୀକ୍ଷାରେ ଭୁବନେଶ୍ୱର ଜୋନ୍ (ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲା)ରେ ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ମୋଟ୍ ୬୨ହଜାର ୬୭୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଖୋର୍ଦ୍ଧା ଜିଲ୍ଲାରେ ମୋଟ୍ ୨୭ହଜାର ୯୭୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିରୁ ରେଗୁଲାର ପିଲାଙ୍କ ସଂଖ୍ୟା ୨୭ହଜାର ୧୦୮ ଏବଂ ଏକ୍ସରେଗୁଲାର ପିଲାଙ୍କ ସଂଖ୍ୟା ୮୬୯ ରହିଛି। ନୟାଗଡ଼ ଜିଲ୍ଲାରେ ମୋଟ ୧୨ହଜାର ୯୪୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ରେଗୁଲାର ପିଲାଙ୍କ ସଂଖ୍ୟା ୧୨ହଜାର ୬୮୪ ଏବଂ ଏକ୍ସରେଗୁଲାର ପିଲାଙ୍କ ସଂଖ୍ୟା ୨୬୪ ରହିଛି। ପୁରୀ ଜିଲ୍ଲାରେ ମୋଟ୍ ୨୧ହଜାର ୭୫୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ରେଗୁଲାର ପିଲାଙ୍କ ସଂଖ୍ୟା ୨୧ହଜାର ୧୩୯ ଏବଂ ଏକ୍ସରେଗୁଲାର ପିଲାଙ୍କ ସଂଖ୍ୟା ୬୧୨ ରହିଛି।
ସେହିପରି ୨୦୨୦ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକଶିକ୍ଷା ପରୀକ୍ଷାର ସମ୍ପୂର୍ଣ୍ଣ ତଥ୍ୟ ଆସନ୍ତା ୨୭ତାରିଖ ଦିନ ସ୍ପଷ୍ଟ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି। ମଙ୍ଗଳବାରଦିନ ଆୟୋଜିତ ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ୨୭ତାରିଖ ଦିନ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ସାଧାରଣ ପରୀଷଦ ବୈଠକ ଏବଂ ପରୀକ୍ଷା କମିଟିର ବୈଠକ ଅନୁଷ୍ଠିତ ହେବା ପରେ ଆସନ୍ତା ଯୁକ୍ତଦୁଇ ପରୀକ୍ଷାର କାର୍ଯ୍ୟସୂଚୀ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ମାଟ୍ରିକ ପରୀକ୍ଷା ପରି ଯୁକ୍ତଦୁଇ ପରୀକ୍ଷା ଲାଗି ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ଦାଶ କହିଛନ୍ତି। ଏପରିକି ଉଭୟ ମାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷାରେ କୌଣସି ସ୍ଥିତିରେ ଅବ୍ୟବସ୍ଥାକୁ ବରଦାସ୍ତ କରାଯିବ ନାହି। ଯେଉଁ ସ୍ତରରେ ତ୍ରୁଟି ଉପୁଜିବ ସେହି ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।