୬ଟି ଜିଲ୍ଲାରେ ହେବ ମେଡ଼ିକାଲ କଲେଜ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୬ଟି ଜିଲ୍ଲାରେ ଥିବା ଡାକ୍ତରଖାନାକୁ ମେଡ଼ିକାଲ କଲେଜ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ୨ଟି ଜିଲା ହସ୍ପିଟାଲକୁ ସାମିଲ କରାଯିବା ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ସେହିପରି ଓଡ଼ିଶାର ବଲାଙ୍ଗିର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ଆଦି ୧୦ ଜିଲ୍ଲା ମଧ୍ୟରୁ ୬ଟିରେ ମେଡିକାଲ କଲେଜ କରାଯିବା ପାଇଁ ଯୋଜନା ହେଉଛି । ତେବେ କେଉଁ ୬ ଜିଲାରେ ମେଡିକାଲ କଲେଜ ହେବ ତାହା କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ଭୁବନେଶ୍ୱରସ୍ଥିତ ଏମ୍‌ସ ହସ୍ପିଟାଲରେ ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଯୋଗଦେଇ କହିଛନ୍ତି ଯେ, ସମଗ୍ର ଦେଶର ୭୫ ପଛୁଆ ଜିଲ୍ଲାରେ ଥିବା ହସ୍ପିଟାଲକୁ ମେଡିକାଲ କଲେଜ କରାଯିବ। ଆସନ୍ତା ୪ରୁ ୫ ମାସ ମଧ୍ୟରେ ୪୯ଟି ମେଡିକାଲ କଲେଜ କାର୍ୟ୍ୟ ସମ୍ପୂର୍ଣ୍ଣ କରିଦିଆଯିବ। ସେହିପରି ୫ରୁ ୬ ବର୍ଷ ମଧ୍ୟରେ ଓଡ଼ିଶାର ୬ଟି ଯାକ ହସ୍ପିଟାଲରେ ମେଡିକାଲ କଲେଜ କାମ ଶେଷ ହୋଇଯିବ। ଓଡ଼ିଶାର ଆଉ ୨ଟି ହସ୍ପିଟାଲରେ ମଧ୍ୟ ମେଡିକାଲ କଲେଜ କରିବା ପାଇଁ ଆବେଦନ ହୋଇଛି। ଆଗକୁ ସିଲେକ୍ସନ କମିଟି ସେନେଇ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ସେହିପରି ଓଡ଼ିଶାର ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ଦେବା ଲାଗି ଆୟୁଷ୍ମାନ୍‌ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ହର୍ଷବର୍ଦ୍ଧନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ପୂର୍ବରୁ ରାଜ୍ୟ ସରକାର ଆୟୁଷ୍ମାନ୍‌ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ ନ କରି ନିଜସ୍ୱ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। ହେଲେ ନିକଟରେ କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ ଯୋଜନାକୁ କାଳିଆ ସହ ମିଶାଯିବା ପରେ ଆୟୁଷ୍ମାନ୍‌ ଭାରତ ଯୋଜନାକୁ ରାଜ୍ୟ ସରକାର ଆପଣେଇ ପାରନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ବିଜେଡି ଏନେଇ ତର୍ଜମା ଚାଲିଥିବା କହିଥିବାବେଳେ ଏହି ବିଷୟକୁ ସମ୍ପୂର୍ଣ୍ଣ ଏଡାଇ ଦେଇନାହିଁ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମତ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାଠାରୁ ଆୟୁଷ୍ମାନ୍‌ ଭାରତ ଯୋଜନା ସମ୍ପୂର୍ଣ୍ଣ ଅଲଗା। ଉଭୟ ଯୋଜନାର ମିଶ୍ରଣକୁ ନେଇ ଆଲୋଚନା ଚାଲିଛି। ଦୁଇଟି ଯାକ ଯୋଜନାର ଭିନ୍ନଭିନ୍ନ ବ୍ୟବସ୍ଥା ଓ ଗାଇଡଲାଇନ ରହିଛି। ତେଣୁ ଏହାକୁ ନେଇ ବିଚାର ଚାଲିଥିବା ଅମର କହିଛନ୍ତି। ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ, କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ଉପସ୍ଥିତ ଥିଲେ।