ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ରେଞ୍ଜ ତଳଗଡ଼ ପଞ୍ଚାୟତର ନୂଆଁଭୂଇଁ ଗ୍ରାମର ତଅଂଳ ସାହିର ଯୁବକ ଛେଳି ଚରାଇବା ପାଇଁ ଯାଇଥିଲା। ଏହି ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ସେ ହାତୀ ପାଦ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ଅନୁଯାୟୀ ବିଗତ କିଛି ଦିନ ହେବ ତଳଗଡ଼ ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବା ଗ୍ରାମବାସୀ ବନବିଭାଗକୁ ଜଣାଇଥିଲେ। ଆଜି ସକାଳଳେ ନୂଆଁଭୂଇଁ ଗ୍ରାମର କାଉତ ବେହେରା ଛେଳି ଚରାଇବା ପାଇଁ ପାଖ ମିରିଗେଇ ପାହଡ଼କୁ ଯାଇଥିଲେ। ସେଠାରେ ଏକ ଦନ୍ତା ହାତୀ ସାମ୍ନାରେ ପଡ଼ିଯାଇଥିଲେ। ତେବେ ହାତୀଟି ତାଙ୍କୁ ସେଠାରେ ଦଳିଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ବନ୍ତଳା ବନାଞ୍ଚଳ ଅଧିକାରୀ ବିନ୍ଦୁ ପ୍ରସାଦ ସଦଳବଳେ ବନ୍ତଳା ପୁଲିସକୁ ନେଇ ସେଠାରେ ପହଞ୍ଚି ଥିଲେ।

ସେଠାରେ ଉତ୍ତ୍ୟକ୍ତ ଲୋକମାନେ ଉଭୟ ବନବିଭାଗ ଓ ପୁଲିସଙ୍କୁ ଆକ୍ରମଣ କରିବା ସହ ବୋଲେରୋ ଗାଡିକୁ ଭାଙ୍ଗି ଦେଇଥିଲେ। ପରେ ବନ୍ତଳା ଭାରପ୍ରାପ୍ତ ଡିଏସପି ସୌରଭ ଓତ୍ତା ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଘଟଣାସ୍ଥଳରୁ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଥିଲା। ଏହି ଘଟଣା ସମ୍ପର୍କରେ ଅନୁଗୁଳ ବନଖଣ୍ଡ ଅଧିକାରୀ ଭି. କାର୍ତ୍ତିକ କହିଛନ୍ତି ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ। ଅପରପକ୍ଷରେ ଗ୍ରାମବାସୀଙ୍କ ବନ ବିଭାଗ ତଥା ପୁଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ ଘଟଣାକୁ ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି।