ମହାକାଶ ବାହିନୀ ପ୍ରତିଷ୍ଠା କରିବ ଆମେରିକା

ୱାଶିଂଟନ: ଏକବିଂଶ ଶତାବ୍ଦୀରେ ରୁଷିଆ ଓ ଚୀନ୍ ମୁକାବିଲା କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ମହାକାଶରେ ଶକ୍ତିଶାଳୀ ପ୍ରତିରକ୍ଷା ବାହିନୀ ଗଠନ କରିବାକୁ ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ମହାନ ପରିକଳ୍ପନାରେ ଆମେରିକାର ପ୍ରତିରକ୍ଷା କ୍ଷେତ୍ର ପୂର୍ବାପେକ୍ଷା ଶତଗୁଣ ଶକ୍ତିଶାଳୀ ହେବ, ଏଥିରେ ସନ୍ଦେହ ନାହିଁ। ଭବିଷ୍ୟତରେ ରୁଷିଆ ଓ ଚୀନ ସହିତ ଆମେରିକାକୁ ଷ୍ଟାର୍ ୱାର କରିବାକୁ ପଡ଼ିପାରେ। ଏହି ଆଶଙ୍କାରେ ରାଷ୍ଟ୍ରପତି ଟ୍ରମ୍ପ ୨୦୨୦ ନ୍ୟାସନାଲ୍ ଡିଫେନ୍ସ ଅଥରାଇଜେସନ୍ ଆକ୍ଟ ପ୍ରଣୟନ କରି ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ବନ୍ଦୋବସ୍ତ କରିଛନ୍ତି।

ଶୁକ୍ରବାର ଉକ୍ତ ଆଇନକୁ ସ୍ୱୀକୃତି ପ୍ରଦାନ କରିବା ପରେ ରାଷ୍ଟ୍ରପତି ଟ୍ରମ୍ପ ଉପସ୍ଥିତ ପ୍ରତିରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି, ‘ଭବିଷ୍ୟତରେ ଆମକୁ ମହାକାଶରେ ଲଢ଼ିବାକୁ ପଡ଼ିବ। ସେଥିପାଇଁ ଆମେ ଏତିକିବେଳୁ ସଜବାଜ ହେବା ଉଚିତ। ମହାକାଶ ବାହିନୀକୁ ମିଶାଇ ଆମେରିକାର ପ୍ରତିରକ୍ଷା ବିଭାଗ ଏବେ ୬ଟି ନିରାପତ୍ତା ବାହିନୀକୁ ପରିଚାଳନା କରିବ। ଏହା ପୂର୍ବରୁ ଆମେରିକା ପ୍ରତିରକ୍ଷା ବିଭାଗ ଅଧୀନରେ ସ୍ଥଳସେନା, ବାୟୁସେନା, ନୌସେନା, ସାମୁଦ୍ରିକ ସେନା ଓ ତଟରକ୍ଷୀ ବାହିନୀ କାମ କରୁଛନ୍ତି। ପ୍ରତିରକ୍ଷା ସଚିବ ମାର୍କ ଇସ୍ପେରଙ୍କ ମତରେ ମହାକାଶରେ ରୁଷିଆ ଓ ଚୀନର ଔଦ୍ଧତ୍ୟକୁ ଜବାବ ଦେବା ପାଇଁ ମହାକାଶ ବାହିନୀର ପରିକଳ୍ପନା କରାଯାଇଛି।

ଶକ୍ତିଶାଳୀ ଆମେରିକାକୁ ପ୍ରତିହତ କରିବା ପାଇଁ ରୁଷିଆ ଓ ଚୀନ ମହାକାଶରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ଉପଗ୍ରହ ଛାଡ଼ିବାର ସମ୍ଭାବନା ଅଛି। ଉପଗ୍ରହ-ଉପଗ୍ରହ ମଧ୍ୟରେ ଲଢ଼େଇ ପାଇଁ ସ୍ୱତନ୍ତ୍ର ଡୋମେନ୍ ତିଆରି କରିବା ଆମ ଉଦ୍ଦେଶ୍ୟ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ଆମେରିକା ମହାକାଶ ବାହିନୀର ପରିକଳ୍ପନା କରିଥିଲା।

୨୦୦୭ରେ ଚୀନ୍ ଭୂପୃଷ୍ଠରୁ କ୍ଷେପଣାସ୍ତ୍ର ଛାଡ଼ି ମହାକାଶରେ ପ୍ରଦକ୍ଷିଣ କରୁଥିବା ସାଟେଲାଇଟ୍ ଉଡ଼ାଇଦେବାର ରଣକୌଶଳ ପ୍ରଦର୍ଶନ କରିଥିଲା। ରୁଷିଆ ମହାକାଶକୁ ଅସ୍ତ୍ରଶସ୍ତ୍ରଭରା ଉପଗ୍ରହ ପଠାଇ ସାରିଛି। ଉଭୟ ଦେଶ ମହାକାଶକୁ ଦଖଲ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଇରାନ ଓ ଉତ୍ତର କୋରିଆ ଭଳି ଦେଶ ମହାକାଶରେ ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାକୁ ବହୁତ କିଛି କରିବାକୁ ହେବ ବୋଲି ଆମେରିକା ପ୍ରତିରକ୍ଷା ବିଭାଗର ଉପ-ସଚିବ ଷ୍ଟିଭ କିତାୟ କହିଛନ୍ତି।