କେସିଙ୍ଗାର ଲୁହା ଓ କୃଷି ଉଦ୍ୟୋଗ ବ୍ୟବସାୟୀ ସୁଭାଷ ଅଗ୍ରୱାଲଙ୍କ ଘରୁ ଲୁଟ 

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନମ୍ବର ୯ କଲେଜ ରୋଡରେ ଥିବା ଲୁହା ଓ କୃଷି ଉଦ୍ୟୋଗ ମାଲିକ ସୁଭାଷ ଅଗ୍ରୱାଲଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି । ରାତି ପାଖାପାଖି ୨ଟା ସମୟରେ ୮ରୁ ୯ ଜଣ ଦୃର୍ବୁତ୍ତ ଘର ଭିତରକୁ ପଶି ମାରଣାସ୍ତ୍ର ଦେଖାଇ ପ୍ରାୟ ୬ ଲକ୍ଷ ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । କେସିଙ୍ଗା ଆଦର୍ଶ ଥାନା ପୁଲିସ ଭୋର୍ ୪ଟାରେ ଖବର ପାଇ ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ୱରେ ପୁଲିସ ଟିମ୍ ପହଞ୍ଚି ତଦନ୍ତ ଚାଲୁ ରଖିଛି ।

ମିଳିଥିବା ରିପୋର୍ଟ ମୁତାବକ, ସୁବାଷ ଅଗ୍ରୱାଲଙ୍କ ସହିତ ତାଙ୍କ ସ୍ତ୍ରୀ, ଝିଅ, ନାତୁଣୀ ଓ ରୋଷେୟା ଘର ଭିତରେ ଶୋଇଥିବା ସମୟରେ ଘର ପାଚେରୀ ଡେଇଁ ଘର ପଛପଟ ଦେଇ କବାଟର ଲକର ଭାଙ୍ଗି ଘର ଭିତରକୁ ପଶିଥିଲେ । ଦୃର୍ବୁତ୍ତମାନେ ଘର ଭିତରକୁ ପଶିବା ପରେ ପ୍ରଥମେ ରୋଷେୟାଙ୍କ ସହ ଅନ୍ୟ କୋଠରୀରେ ଶୋଇଥିବା ସୁବାଷ ଓ ତାଙ୍କ ସ୍ତ୍ରୀ, ଝିଅ ଓ ନାତୁଣୀଙ୍କ ହାତକୁ ପଛପଟୁ ବାନ୍ଧି, ପାଟି କଲେ ଜୀବନରୁ ମାରିଦେବା ଧମକ ଦେଇଥିଲେ । ଏହାସହ ପ୍ରାୟ ୧ ଘଣ୍ଟା ଧରି ଘର ଭିତରେ ଦୃର୍ବୁତ୍ତମାନେ ରହି ଘରର ସମସ୍ତ କୋଠରୀର ଲକର ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ନେଇଥିବା ଅଭିଯୋଗରୁ ଜଣାପଡ଼ିଛି । ଏହସହ ଘରେ ଲାଗିଥିବା ସିସି କ୍ୟାମେରା ଉପରେ ଦୁର୍ବୃତ୍ତମାନେ କପଡ଼ା ଢାଙ୍କି ଦେଇ ହାର୍ଡଡିସ୍କକୁ ମଧ୍ୟ ନେଇଯାଇଥିବା ଜଣାପଡ଼ିଛି ।