କାଲିଠାରୁ କେରଳରେ ହଟିବ ଲକଡାଉନ, ଅଡ୍ ଇଭିନ୍ ଫର୍ମୁଲାରେ ଗଡିବ ଗାଡି

କେରଳ,ଏଜେନ୍ସି: କେରଳରେ ସୋମବାର ଠାରୁ ୭ଟି ଜିଲ୍ଲାରେ ଜୀବନଯାତ୍ରା ସ୍ୱାଭାବିକ ହେବାକୁ ଯାଉଛି। ଦେଶର ପ୍ରଥମ ରାଜ୍ୟ ଭାବେ ତାଲାବନ୍ଦ କଟକଣା କୋହଳ କରିବାକୁ ଯାଉଛି କେରଳରେ। କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ନହେବା ଓ ଆକ୍ରାନ୍ତ ସୁସ୍ଥ ହେଉଥିବାରୁ ଗାଡି ଚଳାଚଳ କରିବାକୁ ନିଷ୍ପତି ନେଇଛନ୍ତି କେରଳ ସରକାର।

୨ଟି ଜିଲ୍ଲାରେ ଆସନ୍ତାକାଲିଠୁ ଜୀବନ ଯାତ୍ରା ସ୍ୱଭାବିକ ହେବାକୁ ଯାଉଥିବା ବେଳେ ୫ଟି ଜିଲ୍ଲାରେ କଟକଣାକୁ କୋହଳ କରାଯିବ। କିଛି ରେଷ୍ଟୁରାଂଟ ଖୋଲା ରଖିବା ସହ ଯୁଗ୍ମ ଅଯୁଗ୍ମ ଫର୍ମୂଲାରେ ଘରୋଇ ଗାଡି ବି ଚଳାଚଳ କରିବ। ସଂକ୍ରମଣ ସ୍ଥିତିକୁ ଆଖିରେ ରଖି କେରଳକୁ ୪ଟି ଜୋନରେ ଭାଗ କରି କ୍ରମାନ୍ୱୟରେ ତାଲାବନ୍ଦ ହଟାଇବା ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। କେରଳର ୧୪ଟି ଜିଲ୍ଲାକୁ ରେଡ ଜୋନ, ଅରେଞ୍ଜ-ଏ, ଅରେଞ୍ଜ-ବି ଏବଂ ଗ୍ରୀନ ଜୋନରେ ଭାଗ କରାଯାଇ, ତାଲାବନ୍ଦ କୋହଳ କରିବାକୁ ଯାଉଛନ୍ତି କେରଳ ସରକାର।

ଆସନ୍ତାକାଲି କୋଟ୍ଟାୟାମ ଓ ଇଦୁକି ଜିଲ୍ଲାରେ ତାଲାବନ୍ଦ ହଟି ସ୍ୱାଭାବିକତା ଆସିବ। ଏହି ଦୁଇ ଜିଲ୍ଲାକୁ ଗ୍ରୀନ ଜୋନରେ ରଖାଯାଇଛି କାରଣ ସେଠାରେ ଏବେ କୌଣସି ଆକ୍ଟିଭ କେସ ନାହିଁ। କୋଟ୍ଟାୟାମ ଓ ଇଦୁକିରେ ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ରେଷ୍ଟୁରାଂଟ ଖୋଲା ରହିବ। ତେବେ ସେଠାରେ ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜର ବ୍ୟବହାର କରିବାକୁ କଡା ନିର୍ଦ୍ଦେଶ ରହିଛି।