ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଗାନ୍ଧୀ ଷ୍ଟାଡ଼ିଅମ ଠାରେ ଓଡ଼ିଶା ଓ ବରୋଦା ମଧ୍ୟରେ ୧୯ ବର୍ଷରୁ କମ୍ ସର୍ବଭାରତୀୟ କୁଚ ବିହାର କ୍ରିକେଟ ମ୍ୟାଚ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ତେବେ ଆସନ୍ତା ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ ଖେଳାଯିବ।
ଏହି ପରିପ୍ରେକ୍ଷୀରେ ଓଡିଶା ଦଳ ପ୍ରଥମ ମ୍ୟାଚର ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ବଲାଙ୍ଗିର ଏସପି ଏମ ସନ୍ଦୀପ ସମ୍ପତ ଆନୁଷ୍ଠାନିକ ଭାବେ ମ୍ୟାଚକୁ ଉଦ୍ଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସମ୍ପାଦକ ହରି ନାରାୟଣ ପୂଝାରୀ, ଓସିଏର ସାଧାରଣ ସମ୍ପାଦକ ସଞ୍ଜୟ ବେହେରା, କ୍ରିକେଟ ସମ୍ପାଦକ ଓମ ପ୍ରକାଶ ଚାନ୍ଦ ଓ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।