ପାଟଣାଗଡ଼,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ସମଗ୍ର ଦେଶରେ ସହିଦଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବାଗମୁଣ୍ଡ ପଞ୍ଚାୟତର ପାହାଡ଼ ଘେରା ଖୁଲାଗଡ଼ ଗାଁରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପାଟଣାଗଡ଼ ବିଧାନସଭା ନିର୍ବାଚନୀ ମଣ୍ଡଳୀର ଖପ୍ରାଖୋଲ ବ୍ଲକର ବାଗମୁଣ୍ଡ ପଞ୍ଚାୟତର ଖୁଲାଗଡ଼ ବାନ୍ଧନମାଲ ଲୁହୁରେଟ ହିରଲ୍ଲୀ ବାଗମୁଣ୍ଡ କାଡ଼ୋ ପାଣି ନାଗେନ ମାଲବରିଆ ଡେରା ଗାଁରେ ବିଜେପି ରାଜ୍ୟ ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ଅମୃତ କଳସିକୁ କନକ ବର୍ଦ୍ଧନ ସିଂଦେଓ ଓ ସଂଗୀତା ସିଂଦେଓ ହାତରେ ଧରି ଗାଁ ରାସ୍ତାରେ ଏକ ବିଶାଳ ପଟୁଆର ବାହାରିଥିଲା । ଗାଁର ବିଭିନ୍ନ ବର୍ଗର ଲୋକେ ଏହି ସ୍ମରଣୀୟ କାର୍ଯ୍ୟରେ ବ୍ୟକ୍ତିଗତ ତଥା ସ୍ୱତଃପ୍ରବୃତ୍ତ ଭାବେ ସାମିଲ ହୋଇଥିଲେ । ଗାଁର ବିଭିନ୍ନ ଘରୁ ମାଟି ସଂଗ୍ରହ କରି ଦିଲ୍ଲୀ ପଠାଯାଇ ସେଠାରେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯିବ । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ପ୍ରବୀଣ ଅଗ୍ରୱାଲ, କର୍ଣ୍ଣ ଠାକୁର, ମଧୁ ବରିହା, ବବି ପାଣିଗ୍ରାହୀ, ରବି ସାହୁ, ଗୋପ ସାହୁ, ବୁଲୁ ଯୋଶୀ, ବାବାଜୀ ମେହେର, ଶିବ ସୁନା ଓ ଭରତ ସାହୁଙ୍କ ସମେତ ଗାଁର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଗାଁ ଦାଣ୍ଡରେ ଜାତୀୟ ପତାକା ଧରି ‘ଭାରତ ମାତା କି ଜୟ, ମୋ ଦେଶ ମୋ ମାଟି କି ଜୟ’ ସ୍ଲୋଗାନ ଦେଇ ଘରକୁ ଘର ଯାଇ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସଂଗୀତା ସିଂଦେଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ । ପରେ ବାଗମୁଣ୍ଡ ଗାଁରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।