ଡାକ୍ତରଙ୍କ ନିଳମ୍ବନ ଆଦେଶ ପ୍ରତ୍ୟାହାର ଦାବୀରେ ଅନିର୍ଦ୍ଧିଷ୍ଟକାଳ ପାଇଁ କାଲିମେଳା ବନ୍ଦ ଜିଲ୍ଲା By Nitidin On Dec 16, 2019 Share ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜଣେ ଛାତ୍ରୀଙ୍କୁ ମାଡ ମାରିବା ଘଟଣାରେ ନିଳମ୍ବିତ ଡାକ୍ତରଙ୍କ ଆଦେଶ ପ୍ରତ୍ୟାହାର କରିବା ଦାବୀରେ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ କାଲିମେଳା ବନ୍ଦ ଡାକରା ଦିଆଯାଇଛି। ସୂଚନା ଅନୁଯାୟୀ, ଗତ ୨୯ ତାରିଖରେ କାଲିମେଳା ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଚିକିତ୍ସା ପାଇଁ ଆସିଥିବା ବେଳେ ଡଃ.ମୁକ୍ତିକାନ୍ତ ମଲ୍ଲିକ ଛାତ୍ରୀଙ୍କୁ ମାଡ ମାରିଥିବା ସହ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ କିଛି ସମୟ ଧରି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତେଜନା ଦେଖାଦେଇଥିଲା। ତେବେ ଏହି ଘଟଣା ପରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଓ ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ମିଳିତ ଭାବେ ତଦନ୍ତ କରିଥିଲେ। ପରେ ତଦନ୍ତ ରିପୋର୍ଟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପଠାଯାଇଥିଲା। ତଦନ୍ତ ରିପୋର୍ଟକୁ ଆଧାର କରି ସଂପୃକ୍ତ ଡାକ୍ତରଙ୍କୁ ନିଳମ୍ବିତ କରାଯାଇଛି। ନିଳମ୍ବିତ ଡାକ୍ତରଙ୍କ ନିଳମ୍ବନ ଆଦେଶ ପ୍ରତ୍ୟାହାର ଦାବୀରେ ଆଜି ସଂପୃକ୍ତ ଅଂଚଳବାସୀଙ୍କ ଅନିର୍ଦ୍ଧିଷ୍ଟକାଳ ପାଇଁ କାଲିମେଳା ବନ୍ଦ ଡାକରା ଦିଆଯାଇଛି। କାଲିମେଳାଠାରେ ୬ ଜଣ ଡାକ୍ତରଙ୍କ ସ୍ଥାନରେ ୨ ଜଣ ଡାକ୍ତର ରହିଛନ୍ତି। ଏହି ୨ ଜଣ ଡାକ୍ତର କାଲିମେଳା ବ୍ଲକର ୨୩ ଟି ପଂଚାୟତ ଓ ପଡ଼ିଆ ବ୍ଲକର ୮ ଟି ପଂଚାୟତବାସୀଙ୍କୁ ସେବା ଯୋଗାଇ ଆସୁଛନ୍ତି। ଏହାବ୍ୟତୀତ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼ର ରୋଗୀମାନେ ମଧ୍ୟ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ତେବେ ୨୪ ଘଂଟା ଦିନରାତ୍ରିରେ ସେବା ଯୋଗାଇ ଆସୁଥିବା ଡାକ୍ତର ଶ୍ରୀ ମଲ୍ଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ଦ୍ୱାରା ରୋଗୀ ସେବା ବାଧାପ୍ରାପ୍ତ ହେଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଅଜୟ କୁମାର ବୈଠାରୁ ପଂହଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ସରକାର ନିଳମ୍ବନ କରିଥିବାରୁ ତାଙ୍କୁ ପୁଣି ଏଠାରେ ଅବସ୍ଥାପିତ କରାଯାଇପାରିବ ନାହିଁ। ଆଗାମୀ କିଛି ମାସ ପରେ ଏଥିପ୍ରତି ବିଚାର କରାଯିବ ବୋଲି ପ୍ରତିଶ୍ରୃତି ଦେବା ପରେ ବନ୍ଦ ଡକାରା ପ୍ରତ୍ୟାହୃତ ହୋଇଥିଲା। ଏହି ବନ୍ଦ ଡକାରାରେ କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଡ଼ି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଚୈତନ୍ୟ ଚୌଧୂରୀ, ଜିଲ୍ଲାପରିଷଦ ଉତମ ରାୟଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଅଂଶ ଗ୍ରହଣ କରିଥିଲେ। Share