ଝରିଗାଁ,ଏନ୍ଏନ୍ଏସ୍: କରୋନା ଲକଡାଉନ ଯୋଗୁଁ ରାଜ୍ୟର ଅନେକ ଲୋକ ବାହାର ରାଜ୍ୟରେ ଫସି ରହିଛନ୍ତି। ଏହି ପରିପ୍ରେକ୍ଷୀରେ ବାହାର ରାଜ୍ୟରେ ଫସିଥିବା ଦାଦନ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଆଣିବା ପାଇଁ ରାଜ୍ୟ ସରକାର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ୨୩ ଗ୍ରାମ ପଞ୍ଚାୟତର ମୋଟ ୨୭୭୩ ଜଣ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଇଥିବା ବେଳେ ସେମାନେ ନିଜ ନିଜ ଘରକୁ ଫେରିବେ ବୋଲି ବ୍ଲକ ପ୍ରଶାସନ ଆକଳନ କରିଛି।
ଏଥିମଧ୍ୟରୁ ଆନ୍ଧ୍ରପ୍ରଦେଶରେ ୧୧୭୨, କର୍ଣ୍ଣାଟକରେ ୧୨୪, ତେଲେଙ୍ଗାନାରେ ୮୦୫, ମହାରାଷ୍ଟ୍ରରେ ୫୬, ତ୍ରିପୁରାରେ ୯୬, ଛତିଶଗଡ଼ରେ ୩୨, ତାମିଲନାଡୁରେ ୩୭୪ ଓ କେରଳରେ ୯୮ଜଣ ଦାଦନ ଶ୍ରମିକ ରହିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଫେରନ୍ତା ଦାଦନ ଶ୍ରମିକଙ୍କୁ ୧୪ ଦିନ ସଙ୍ଗରୋଧରେ ରଖାଯିବ। ଏଥି ପାଇଁ ବ୍ଲକ ପ୍ରଶାସନ ତରଫରୁ ପ୍ରତି ପଞ୍ଚାୟତରେ ୫୦ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ ଗୃହ ପ୍ରସ୍ତୁତ ହୋଇଛି ବୋଲି ଝରିଗାଁ ବିଡ଼ିଓ ଦେବେନ୍ଦ୍ର ବହାଦୁର ସିଂ ଧୁରୁଆ ସୂଚନା ଦେଇଛନ୍ତି। ଏଥିସହ ସବୁ ସଙ୍ଗରୋଧ ଗୃହରେ ବିଦ୍ୟୁତ୍, ପାନୀୟ ଜଳ ଓ ଶୌଚାଳୟର ଵ୍ୟବସ୍ଥା କରାଯାଇଛି।