ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ପ୍ରଗତିରେ ଶିଳ୍ପୋଦ୍ୟୋଗୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ସ୍ଥାନରେ ଉଭୟ ଛୋଟ ଓ ବଡ଼ ଉଦ୍ୟୋଗୀଙ୍କୁ ଏକାଠି କରିବା ଓ ରାଜ୍ୟରେ ଶିଳ୍ପ ପାଇଁ ଏକ ପ୍ରଗତୀଶୀଳ ବାତାବରଣ ସୃଷ୍ଟି କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସିଆଇଆଇ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏଣ୍ଟରପ୍ରାଇଜ୍ ଓଡ଼ିଶା-୨୦୨୧ ଏ କ୍ଷେତ୍ରରେ ନୂଆ ସମ୍ଭାବନା କରିଛି। ୱେଲ୍କମ୍ ହୋଟେଲ ପରିସରରେ ସିଆଇଆଇ (କନ୍ଫେଡ଼େରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି) ଆୟୋଜିତ ୨୩ ତମ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା’କୁ ଭିଡ଼ିଓ କନଫରେନସିଂ ଜରିଆରେ ଉଦଘାଟନ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କୋଭିଡ଼୍ ଭଳି ପ୍ରତିକୂଳ ସମୟରେ ମଧ୍ୟ ସାରା ଦେଶରେ ଓଡ଼ିଶା ପ୍ରଶଂସିତ ହୋଇଛି। ପୂର୍ବରୁ ମେକଇନ୍ ଓଡ଼ିଶା ଓ ଷ୍ଟାର୍ଟ ଅପ ଓଡ଼ିଶା ଭଳି ଅନେକ ସରକାରୀ ଉଦ୍ୟମ ଶିଳ୍ପୋଦ୍ୟୋଗୀମାନଙ୍କ ସହଯୋଗରେ ସଫଳ ହୋଇଛି। ସମ୍ମାନିତ ଅତିଥି ଭାବେ ଶିଳ୍ପ ଓ ଏମ୍ଏସ୍ଏମଇ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଭିଡ଼ିଓ କନଫରେନସିଂ ଜରିଆରେ ଯୋଗଦେଇ ଶିଳ୍ପ କ୍ଷେତ୍ରରେ ସରକାରଙ୍କ ପ୍ରସ୍ଥୁତି ସମ୍ବନ୍ଧରେ ସୂଚନା ଦେଇଥିଲେ। ‘ଲେସ୍ ଗଭର୍ଣ୍ଣମେଣ୍ଟ, ମୋର ଗଭର୍ଣ୍ଣାନ୍ସ’ ନ୍ୟାୟରେ କିଭଳି ସରକାର କାମ କରୁଛନ୍ତି, ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବଜେଟ୍ କିଭଳି ବହୁଗୁଣିତ ହୋଇଛି ସେ ନେଇ ସୂଚନା ଦେଇଥିଲେ।
ଇପିକଲ୍ ଅଧ୍ୟକ୍ଷ ତଥା ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଯୋଗଦେଇ ଶିଳ୍ପର ଉନ୍ନତି ପାଇଁ ୪ଟି ମନ୍ତ୍ର ସମ୍ବନ୍ଧରେ ଆଲୋଚନା କରିଥିଲେ। ସମ୍ବଳ, ଭିତ୍ତିଭୂମି, ଯୋଜନା ଓ ଯୋଗାଯୋଗରେ ଉନ୍ନତି କରାଗଲେ ଶିଳ୍ପକ୍ଷେତ୍ରରେ ଆହୁରି ଉନ୍ନତ ହେବ ବୋଲି କହିଥିଲେ। ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ, ବେଦାନ୍ତ ସିଇଓ ରାହୁଲ ଶର୍ମା ଓ ଆର୍ସେଲର ମିତ୍ତଲ ନିପପନ୍ ଷ୍ଟିଲ୍ ସିଇଓ ଦିଲ୍ଲୀପ ଓମେନ୍ ଭିଡ଼ିଓ କନଫରେନସିଂ ଜରିଆରେ ଭାଗ ନେଇଥିଲେ। ସିଆଇଆଇ ଓଡ଼ିଶା କାଉନସିଲ୍ ଅଧ୍ୟକ୍ଷ ମନୀଷ ଖରବନ୍ଦା ସ୍ୱାଗତ ଭାଷଣ ଦେଇଥିଲେ। ଅଶୋକ ବଳ ଓ ରଣଜିତ ରଥ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ବଲପୁର ଆଇଆଇଏମ୍ ଆସୋସିଏଟ୍ ପ୍ରଫେସର୍ ରାମକୃଷ୍ଣ ପାଢୀଙ୍କ ପ୍ରସ୍ତୁତ କରିଥିବା ଇମର୍ଜର୍ିଂ ସେକ୍ଟର୍ସ ଅଫ୍ ଓଡ଼ିଶା ଶୀର୍ଷକ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ସିଆଇଆଇ ପୂର୍ବତନ ଅଧ୍ୟକ୍ଷ ଏମ୍କେ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।