କାନପୁର,ଏଜେନ୍ସି: ସ୍ଥାନୀୟ ଗ୍ରୀନ୍ ପାର୍କ ଷ୍ଟାଡିୟମ୍ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନ ଖେଳ ଶେଷ ହୋଇଛି। ଷ୍ଟମ୍ସ ଅପସାରଣ ବେଳକୁ ନ୍ୟୁଜିଲାଣ୍ଡ ଏକ ୱିକେଟ୍ ହରାଇ ୪ ରନ୍ କରିଥିଲା। ମ୍ୟାଚ୍ର ଅନ୍ତିମ ଦିନ ବିଜୟ ପାଇଁ ଭାରତକୁ ୯ ୱିକେଟ୍ ଏବଂ ନ୍ୟୁଜିଲାଣ୍ଡକୁ ୨୮୦ ରନ୍ ଆବଶ୍ୟକ। ୱିଲ୍ ୟଙ୍ଗ୍ଙ୍କ ରୂପେ ଭାରତକୁ ପ୍ରଥମ ସଫଳତା ଅଶ୍ୱିନ ଦେଇଥିଲେ। ଏହା ପୂର୍ବରୁ ପ୍ରଥମ ଇନିଂସ୍ରେ ଶତକ ହାସଲ କରିଥିବା ଡେବ୍ୟୁଟାଣ୍ଟ ଶ୍ରେୟସ ଆୟର ଓ ୱିକେଟ୍କିପର ଋଦ୍ଧିମାନ ସାହାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୭ ୱିକେଟ୍ରେ ୨୩୪ ରନ୍ କରି ଦ୍ୱିତୀୟ ଇନିଂସ୍ ଘୋଷଣା କରି ନ୍ୟୁଜିଲାଣ୍ଡକୁ ୨୮୪ ରନ୍ର ଟାର୍ଗେଟ୍ ଦେଇଥିଲା। ଲକ୍ଷ୍ୟକୁ ପିଛା କରୁଥିବା ନ୍ୟୁଜିଲାଣ୍ଡ ଓପ୍ନର୍ ୱିଲ୍ ୟଙ୍ଗ୍ (୨)ଙ୍କ ୱିକେଟ୍ ହରାଇ ୪ ରନ୍ କରିଥିଲା। ଅନ୍ୟତମ ଓପ୍ନର୍ ଟମ୍ ଲାଥମ୍ ୨ ରନ୍ ଏବଂ ନାଇଟ୍ ୱାଚ୍ମ୍ୟାନ୍ ୱିଲିୟମ୍ ସମରଭିଲେ ଶୂନରେ ଅପରାଜିତ ଥିଲେ।
ଭାରତର ଦ୍ୱିତୀୟ ଇନିଂସ୍ରେ ଶୀର୍ଷକ୍ରମ ବିଫଳ ହେବାପରେ ଡେବ୍ୟୁଟାଣ୍ଟ ଆୟର ବହୁ ଚାପ ସତ୍ତ୍ୱେ ଅର୍ଦ୍ଧଶତକ (୬୫) ହାସଲ କରିଥିଲେ। ସେ ଅଶ୍ୱିନ୍ (୩୨)ଙ୍କ ସହ ଷଷ୍ଠ ୱିକେଟ୍ରେ ୫୨ ରନ୍ ଏବଂ ସାହା (ଅପରାଜିତ ୬୧)ଙ୍କ ସହ ସପ୍ତମ ୱିକେଟ୍ରେ ୬୪ ରନ୍ର ପାର୍ଟନର୍ଶିପ୍ କରିଥିଲେ। ପରେ ସାହା ଅକ୍ଷର ପଟେଲ୍ (୨୮³)ଙ୍କ ସହ ୮ମ ୱିକେଟ୍ ପାଇଁ ଅବିଭାଜିତ ୬୭ ରନ୍ର ପାର୍ଟନରଶିପ୍ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ୍ ୪୦ ଏବଂ ଟିମ୍ ସାଉଦି ୭୫ ରନ୍ ଦେଇ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ୍ର ୩ୟ ଓଭର୍ରେ ୱିଲ୍ଙ୍କୁ ଆଉଟ୍ କରି ଅଶ୍ୱିନ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହି ୱିକେଟ୍ ନେବାପରେ ହରଭଜନ ସିଂହ(୪୧୭)ଙ୍କ ସହ ଅଶ୍ୱିନ ଯୁଗ୍ମ ଭାବେ ଭାରତର ତୃତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଛନ୍ତି।
ଭାରତ ରବିବାର ୧୪/୧ରୁ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିବା ବେଳେ ସକାଳ ସେସନ୍ରେ କାର୍ଯ୍ୟବାହକ ଅଧିନାୟକ ଆଜିଙ୍କ୍ୟ ରାହାଣେ (୪) ଓ ଉପଅଧିନାୟକ ଚେତେଶ୍ୱର ପୂଜାରା (୨୨) ପୁଣିଥରେ ନିରାଶ କରିଥିଲେ। ଓପ୍ନର୍ ମୟଙ୍କ ଅଗରୱାଲ୍ (୧୭) ପ୍ରଥମ ଏକ ଘଣ୍ଟା ନ୍ୟୁଜିଲାଣ୍ଡ ବୋଲର୍ଙ୍କ ସଫଳ ମୁକାବିଲା କରିଥିଲେ। ମାତ୍ର ସାଉଦିଙ୍କ ଆଉଟ୍ସ୍ୱିଙ୍ଗ୍ ବଲ୍କୁ ଖେଳିବାକୁ ଯାଇ ଦ୍ୱିତୀୟ ସ୍ଲିପ୍ରେ ଟମ୍ ଲାଥମ୍ଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଏହି ଓଭର୍ରେ ରବୀନ୍ଦ୍ର ଜାଡେଜା (୦)ଙ୍କୁ ସାଉଦି ଏଲ୍ବିଡବ୍ଲ୍ୟୁ କରି ଭାରତକୁ ୫ମ ଧକ୍କା ଦେଇଥିଲେ। ଫଳରେ ଭାରତ ୫୧ ରନ୍ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ବେଳେ ଆୟର୍ ପ୍ରଥମେ ଅଶ୍ୱିନଙ୍କ ସହ ଏବଂ ପରେ ସାହାଙ୍କ ସହ ଅର୍ଦ୍ଧଶତକୀୟ ପାର୍ଟନର୍ଶିପ୍ କରି ଭାରତକୁ ସମ୍ଭାଳିଥିଲେ।
ଆୟର ଚା’ପାନ ବିରତି ପୂର୍ବରୁ ସାଉଦିଙ୍କ ଅନ୍ତିମ ବଲ୍ରେ ୱିକେଟ୍କିପର୍ ଟମ୍ ବ୍ଲଣ୍ଡେଲ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ୧୦୯ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିବା ଆୟର୍ଙ୍କ ୧୨୫ ବଲ୍ର ଇନିଂସ୍ରେ ୮ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ପରେ ସାହା ଓ ପଟେଲ୍ ଦଳୀୟ ସ୍କୋର୍ ୨୦୦ ରନ୍ ପାର୍ କରାଥିଲେ। ସାହା ୧୧୫ ବଲ୍ରେ କ୍ୟାରିୟର୍ର ୬ଷ୍ଠ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୬୧ ରନ୍ କରି ଶେଷ ପର୍ଯ୍ୟନ୍ତ ଆଉଟ୍ ହୋଇନଥିଲେ।