ଆଇସିସି ମହିଳା ଟି-୨୦ : ଦିନିକିଆ ଦଳରେ ସ୍ମୃତି

ଦୁବାଇ,ଏଜେନ୍ସି: ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନ୍ସିଲ (ଆଇସିସି) ପକ୍ଷରୁ ୨୦୧୯ ବର୍ଷର ମହିଳା ଟି-୨୦ ଓ ଦିନିକିଆ ଦଳ ଘୋଷଣା କରାଯାଇଛି। ଭାରତ ପକ୍ଷରୁ ଓପନର ସ୍ମୃତି ମନ୍ଧାନା ଉଭୟ ଦଳରେ ସ୍ଥାନ ପାଇଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଦିନିକିଆ ଦଳରେ ଝୁଲଣ ଗୋସ୍ୱମାୀ, ପୂନମ ଯାଦବ ଓ ଶିଖା ପାଣ୍ଡେ ରହିଛନ୍ତି। ଟି-୨୦ ଦଳରେ ଅନ୍ୟ ଭାରତୀୟଙ୍କ ମଧ୍ୟରେ ଅଲରାଉଣ୍ଡର ଦିପ୍ତୀ ଶର୍ମା ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆର ଆଲିସ୍ ହିଲି ଚଳିତ ବର୍ଷ ୧୪୮ ରନର ପାଳି ଖେଳି ଟି-୨୦ କ୍ରିକେଟର ଅଫ୍ ଦି ଇୟର ଘୋଷିତ ହୋଇଥିବା ବେଳେ ଅଷ୍ଟ୍ରେଲିଆର ଅନ୍ୟତମ କ୍ରିକେଟର ଏଲିସ୍ ପେରୀ ଦିନିକିଆ କ୍ରିକେଟର ଅଫ୍ ଦି ଇୟର ଘୋଷିତ ହୋଇଛନ୍ତି।

ସେ ଚଳିତ ବର୍ଷ ୭୩.୫୦ ହାରରେ ୪୪୧ ରନ୍ ସଂଗ୍ରହ କରିଥିବା ବେଳେ ୧୩.୫୨ ହାରରେ ୨୧ଟି ୱିକେଟ୍ ନେଇଛନ୍ତି। ଏହାବ୍ୟତୀତ ପେରୀ ବିଶ୍ୱର ପ୍ରଥମ ମହିଳା ଖେଳାଳି ଭାବେ ଟି-୨୦ରେ ଏକ ହଜାର ରନ୍ ପୂରଣ କରିବା ସହ ୧୦୦ଟି ୱିକେଟ୍ ନେବାର ଗୌରବ ଅର୍ଜନ କରିଛନ୍ତି। ଏମିର୍ଜ କ୍ରିକେଟର ଅଫ୍ ଦି ଇୟର ଭାବେ ଥାଇଲାଣ୍ଡର ଚାନିଦା ସୁଥିରୁନାଗ ବିବେଚିତ ହୋଇଛନ୍ତି। ଚଳିତ ବର୍ଷର ଉଭୟ ଆଇସିସି ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ଭାବେ ଅଷ୍ଟ୍ରେଲିଆ ଅଧିନାୟକ ମେଗ୍ ଲାନିଙ୍ଗଙ୍କୁ ଚୟନ କରାଯାଇଛି।