ଦେବଗଡ,ଏନ୍ଏନ୍ଏସ୍ : ଦେବଗଡ ଅବକାରୀ ବିଭାଗ ପକ୍ଷରୁ ଆଜି ଦେବଗଡ ପୌରାଂଚଳର ନିଳବେର୍ଣ୍ଣୀ ସାହି ଓ ହାତୀଶାଳ ସାହିରେ ଅଚାନକ ଚଢାଉ କରାଯାଇ ବିପୁଳ ପରିମାଣର ରନ୍ଧା ଦେଶୀ ମଦ ଓ ମହୁଲ ପୋଚ ଜବତ କରାଯାଇଛି। ଏଥିସହ ବେଆଇନ ମଦ କାରାବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ଯୋଗୁଁ ସାରା ଦେଶ ଲକଡାଉନ ରହିଥିବା ବେଳେ ଏହାର ସୁଯୋଗରେ ଦେବଗଡ ପୌରାଂଚଳର ଭିଭିନ୍ନ ସ୍ଥାନରେ ବେଆଇନ ମଦ କାରବାର ଚାଲିଥିବା ଖବର ପାଇ ଦେବଗଡ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକ ଚଢ଼ଉ କରିବାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ଦେବଗଡ ଅବକାରୀ ନୀରିକ୍ଷକ ପଦ୍ମ ଲୋଚନ ପ୍ରଧାନ , ଉପ ନିରୀକ୍ଷକ ରାଧାକାନ୍ତ ଭୋଇ ଓ ପ୍ରଦ୍ୟୁମ୍ନ ସାହୁ, ଏଏସଆଇ ଗୋବିନ୍ଦ ଚନ୍ଦ୍ର ସାହୁ, ଦିଲ୍ଲିପ କୁମାର ଶତପଥି, ଲୋକନାଥ ବେହେରା ଓ ପଦ୍ମାଳୟା ମୁଣ୍ଡା ପ୍ରମୁଖ ସଦଳବଳେ ଦେବଗଡ ପୌରାଂଚଳ ନିଳବେର୍ଣ୍ଣୀ ସାହିର ପୁଟୁ ମୁଣ୍ଡା, ମଙ୍ଗୁଳୁ ମୁଣ୍ଡା, ମଙ୍ଗୁଳି ହେମ୍ରମ ଓ ହାତୀଶାଳ ସାହିର ଟାଇସନ ନାଏକ ଘରେ ଅତର୍କୀତ ଚଢ଼ଉ କରିଥିଲେ।
ଚଢ଼ଉ ସମୟରେ ପୁଟୁ ଘରୁ ୫୦ ଲିଟର ଦେଶୀ ରନ୍ଧା ମଦ ,ମଙ୍ଗୁଳୁ ଘରୁ ୩୦ କିଲୋ କୁସୁନା ମଦ,ମଙ୍ଗୁଳୀ ଘରୁ ୬୦ କିଲୋ କୁସୁନା ଓ ଟାଇସନ ଘରୁ ଲିଟର ଦେଶୀ ରନ୍ଧାମଦ ଜବତ କରିଥିଲେ। ଏଥିସହ ବେଆଇନ ମଦ କାରବାର ଅଭିଯୋଗରେ ଉପରୋକ୍ତ ୪ ଜଣଙ୍କୁ ଗିରଫ କରିଥିଲେ।