କଲେଜ ହଷ୍ଟେଲରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ରାଇରଙ୍ଗପୁର,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମହିଳା କଲେଜର ଜଣେ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳଙ୍କ ଝୁଲନ୍ତା ମୃତ ଦେହ ରବିବାର ଉକ୍ତ କଲେଜର ହଷ୍ଟେଲରୁ ଉଦ୍ଧାର କରାଯାଇଛି। ଏ ନେଇ ପରିବାର ପକ୍ଷରୁ ରୁକ୍ମଣୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ରୁକ୍ମଣୀ ମଣ୍ଡଳ ରାଇରଙ୍ଗପୁର କଲେଜରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ। ସୂଚନା ଅନୁସାରେ କାଳୀପୂଜାରେ ଅଧ୍ୟାପିକାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିଲେ । ଏ ନେଇ ସେ ଅକ୍ଟୋବର ୩୦ତାରିଖରେ ଝାରପୋଖରିଆ ଥାନାରେ ଏତଲା ଦେବା ସହ ମାମଲା ରୁଜୁ କରିଥିଲେ। ମାତ୍ର ପୁଲିସ ପକ୍ଷରୁ ମାସକ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନିଆଯିବାରୁ ଅଭିଯୁକ୍ତର ଉପଦ୍ରବ ବଢିଥିଲା।

ଅଭିଯୁକ୍ତ ଦୁଷ୍କର୍ମ ବେଳର ଫଟୋ ଭାଇରାଲ କରିବା ସହ ହତ୍ୟା ଧମକ ମଧ୍ୟ ଦେଇଥିଲା। ଝାରପୋଖରିଆ ପୁଲିସ କାର୍ୟ୍ୟନୁଷ୍ଠାନରେ ଅବହେଳା କରିବା କାରଣରୁ ରବିବାର ମୟୂରଭଞ୍ଜ ଏସପି ଝାରପୋଖରିଆ ଆଇଆଇସିଙ୍କୁ ଏସପି ଅଫିସକୁ ବଦଳି ଓ ମାମଲାର ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ ସ୍ୱାଇଁଙ୍କୁ ନିଲମ୍ୱିତ କରିଛନ୍ତି । ମୃତ ଅଧ୍ୟାପିକାଙ୍କ ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ କଟକରୁ ଗିରଫ କରିଛି।