ଧର୍ମଶାଳା,ଏନ୍ଏନ୍ଏସ୍ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସୋମବାର ଯାଜପୁର ଜିଲା ଗସ୍ତରେ ଆସି ବଡଚଣା ଓ ଧର୍ମଶାଳା ବ୍ଲକର ତିନି ଗୋଟି ବିଦ୍ୟାଳୟର କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି । ସୋମବାର ପୂର୍ବାହ୍ନରେ ରାଜ୍ୟପାଳଙ୍କୁ ଚଣ୍ଡିଖୋଲ ଛକଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ସେ ବଡଚଣା ବ୍ଲକ କୃଷ୍ଣପୁରଶାସନସ୍ଥିତ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପହଂଚି ବିଦ୍ୟାଳୟର ପ୍ରତିଷ୍ଠାତା ଜଗନ୍ନାଥ ଶତପଥୀଙ୍କ ପ୍ରତିମୂର୍ତୀ ଉନ୍ମୋଚନ କରିଥିଲେ । ଏକ ସାଧରଣ ସଭାରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ।
ସେଠାରେ ତାଙ୍କୁ ଗାର୍ଡ ଅଫ ଅନର୍ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ପରେ ବାଲିଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥିଭାବେ ଯୋଗ ଦେଇ ପ୍ରଦିପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ୟ୍ୟକ୍ରମର ଉଦଘାଟନ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ।
ଶେଷରେ ଧର୍ମଶାଳା ବ୍ଲକ ନେଉଳପୁରସ୍ଥିତ ନୀଳସୁନ୍ଦର ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ରାଜ୍ୟପାଳ ଶ୍ରୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ମହାତ୍ମାଗାନ୍ଧୀ ଓ ଉକ୍ରମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ସ୍ମରଣୀକା ‘ସ୍ୱର୍ଣ୍ଣସେତୁ’କୁ ଲୋକାର୍ପିତ କରିଥିଲେ । ଶିଶୁ ହସିଲେ ଦେଶ ହସିବ, ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ହେଉଛି ଯୁବପୀଢୀଙ୍କ ପାଇଁ ଆହ୍ୱାନ ବୋଲି ରାଜ୍ୟପାଳ ଶ୍ରୀ ଲାଲ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।