ପିଡବ୍ଲୁଡି ଅଧିକାରୀଙ୍କ ବିରୋଧରେ କୋଭିଡ ଆଇନ ଉଲଂଘନ ଅଭିଯୋଗ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦେଶ ତଥା ରାଜ୍ୟରେ କୋଭିଡ-୧୯ ସମ୍ପର୍କିତ ସମସ୍ତ ନିୟମକୁ ପାଳନ କରିବା ପାଇଁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସାଧାରଣ ଲୋକେ ଏହାକୁ ପାଳନ କରୁଥିବାବେଳେ ଉଚ୍ଚପଦସ୍ଥ ଅଧିକାରୀ ଓ ବଡ଼ବଡ଼ିଆ ଲୋକେ ଏହାକୁ ପାଳନ କରୁନାହାନ୍ତି। ଏପରି କିଛି ଘଟଣା ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି। ଝାରସୁଗୁଡ଼ା ପିଡବ୍ଲୁଡିରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ସମ୍ପର୍କୀୟ ପଶ୍ଚିମବଙ୍ଗରେ ମୃତ୍ୟୁବରଣ କରିଥିବାରୁ ପ୍ରାୟ ୧୦ରୁ ୧୫ ଦିନ ହେବ ସେ ତାଙ୍କ ପତ୍ନୀ ଓ ଝିଅ ସହିତ ସେଠାକୁ ଯାଇଥିଲେ। ଆଉ ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ସପରିବାର ଆସି ଝାରସୁଗୁଡ଼ାସ୍ଥିତ ନିଜର ବାସଭବନକୁ ନଯାଇ ସିଧା ପିଡବ୍ଲୁଡି ଆଇବିକୁ ଆସିଥିଲେ। ବାହାର ରାଜ୍ୟରୁ ଫେରିଥିଲେ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ହୋଇଥିବାବେଳେ ସେ ଏହାକୁ ଉଲଂଘନ କରିଥିଲେ। ହେଲେ ସମ୍ପୃକ୍ତ ଅଧିକାରୀ ଜଣକ ପଶ୍ଚିମବଙ୍ଗରୁ ଫେରିଥିବା କଥା ଶୁଣି ସ୍ଥାନୀୟ ଲୋକେ ଭୟଭୀତ ଓ ଉତ୍ତେଜିତ ହୋଇ ପିଡବ୍ଲୁଡି ଇଞ୍ଜିନିୟର ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ପରେ ସମ୍ପୃକ୍ତ ଅଧିକାରୀ ଓ ତାଙ୍କ ପରିବାରକୁ ବ୍ରଜରାଜନଗର କଲ୍ୟାଣ ମଣ୍ଡପସ୍ଥିତ କ୍ୱାରେଣ୍ଟାଇନ ଗୃହରେ ରଖା ଯାଇଥିବା ପିଡବ୍ଲୁଡି ଇଞ୍ଜିନିୟର ସୂଚନା ଦେଇଛନ୍ତି। ତେବେ ସମ୍ପୃକ୍ତ ଅଧିକାରୀ ଜଣକ ସରକାରଙ୍କ ନିୟମ ଉଲଂଘନ କରିଥିବାରୁ ତାଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲୋକେ ଦାବି କରିଛନ୍ତି।
ପ୍ରକାଶଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଝାରସୁଗୁଡ଼ାର ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଜଣେ ଉଚ୍ଚପଦସ୍ଥ ଅଧିକରୀ ଭଦ୍ରକରୁ ତାଙ୍କ ମା’ ବାପାଙ୍କୁ ଆଣିି ବିନା ପଞ୍ଜିକରଣରେ ଘରେ ରଖିଥିଲେ। ଠିକ ସେହିପରି ଝାରସୁଗୁଡ଼ାର ଜଣେ ନେତାଙ୍କ ଘରେ ଭଡ଼ା ରହୁଥିବା କିଛି ଯୁବକ ମଧ୍ୟ ଭୁବନେଶ୍ୱରରୁ ଆସି ବିନା ପଞ୍ଜିକରଣରେ ରହିଥିଲେ। ଗଣମାଧ୍ୟମଠାରୁ ସୂଚନା ପାଇ ସ୍ୱାସ୍ଥ୍ୟ ବିଭାଗ ସ୍ୱାବ ନମୁନା ସଂଗ୍ରହ କରିବା ସହ ସେମାନଙ୍କୁ ସଙ୍ଗରୋଧରେ ରଖିଥିଲା। ତେବେ ବଡ଼ ଅଧିକାରୀମାନେ ଏପରି ଭାବେ ନିୟମ ଉଲଂଘନ କଲେ ଝାରସୁଗୁଡ଼ାରେ ମଧ୍ୟ କରୋନା ସଂକ୍ରମଣର ଆଶଙ୍କା ରହିଛି।