ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ସରକାର ମେ’ ୩ ତାରିଖ ପର୍ୟ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଏଥିରେ ସମସ୍ତ କାର୍ୟ୍ୟାଳୟ ବନ୍ଦ ରହିବ। ଏହାକୁ ଦୃଷ୍ଟିରେ ରଖି କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସଆଇସି) ଫେବୃଆରୀ ମାସ ପାଇଁ ଇଏସଆଇ ଅଂଶଧନ ଦାଖଲ କରିବା ଅବଧି ମେ ୧୫ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଫେବୃଆରୀ ପାଇଁ ଏପ୍ରିଲ ୧୫ ଏବଂ ମାର୍ଚ୍ଚ ପାଇଁ ଅଂଶଧନ ଦାଖଲ ସମୟସୀମା ମେ’୧୫ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା।
ଇଏସଆଇସି ଅଂଶଧନ ଦାଖଲ ସମୟସୀମା ବୃଦ୍ଧି କରିବାର କାରଣ ସମ୍ପର୍କରେ ଶ୍ରମ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ କୋଭିଡ-୧୯ ସଙ୍କଟ କାରଣରୁ ଅନେକ ପ୍ରତିଷ୍ଠାନ ସାମୟିକ ଭାବେ ବନ୍ଦ ରହିଛି ଏବଂ ଶ୍ରମିକମାନେ ମଧ୍ୟ କୌଣସି କାର୍ୟ୍ୟ କରିବାକୁ ସମର୍ଥ ହେଉନାହାନ୍ତି। ଇଏସଆଇସି ଅଂଶଧନ ଦାଖଲ କରିବାର ବର୍ଦ୍ଧିତ ସମୟସୀମା ମଧ୍ୟରେ ସଂସ୍ଥାଗୁଡ଼ିକଠାରୁ କୌଣସି ଜୋରିମାନା କିମ୍ବା ସୁଧ ଆଦାୟ କରାଯିବ ନାହିଁ। ଏହି ନିଷ୍ପତ୍ତି ଫଳରେ ୩ କୋଟି ୪୯ ଲକ୍ଷ ବୀମାଭୁକ୍ତ ବ୍ୟକ୍ତି ଏବଂ ୧୨ ଲକ୍ଷ ୧୧ହଜାର ୧୭୪ନିଯୁକ୍ତିଦାତା ସୁଫଳ ପାଇବେ। ଏହା ବ୍ୟତୀତ ଇଏସଆଇସି ହିତାଧିକାରୀଙ୍କ ପାଇଁ ସରକାର ଆଉ କେତୋଟି ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି।