ଚୌଦ୍ୱାର ଅଞ୍ଚଳରେ ହାତୀ ଉପଦ୍ରବ

ଚୌଦ୍ୱାର,ଏନ୍ଏନ୍ଏସ୍:ଖୁଣ୍ଟୁଣୀ ଥାନା ଅଧୀନ ଡାଳଭାଗ ଓ ତଳଗଡ଼ ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ହାତୀମାନେ ଗ୍ରାମରେ ପଶି ଫସଲ ନଷ୍ଟ କରିବା ସହ ଧାନ ଓ ପନିପରିବା ଖାଇଦେଇଛନ୍ତି। ସେହିପରି ଗ୍ରାମରେ ହାତୀମାନଙ୍କ ମେଳିକୁ ନେଇ ଗ୍ରମବାସୀ ଭୟଭୀତ ହୋଇଯାଇଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ବନବିଭାଗ ନିକଟରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ଆଠଗଡ଼ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଆଗ୍ରାହାଟ ପଞ୍ଚାୟତର ମଙ୍ଗଳପୁର କାଜୁ ଜଙ୍ଗଲରେ ୧୮ବିଶିଷ୍ଟ ହାତୀପଲ ଲୁଚି ରହିଥିବା ଦେଖିବାକୁ ମିଳିଛି। ଏ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଭୟର ବାତାବରଣ ଲାଗି ରହିଛି। ଏହି ହାତୀପଲ ରବିବାର ବିଳମ୍ବିତ ରାତିରେ ଡାଳିଯୋଡା ସଂରକ୍ଷିତ ଜଙ୍ଗଲରୁ ବାହାରି ଏହି ଜଙ୍ଗଲରେ ଲୁଚି ରହିଛନ୍ତି।

ଏହି ହାତୀପଲ ଭାଗଭାଗ ହୋଇଯାଇଥିବାରୁ ସେମାନଙ୍କୁ ଘଉଡାଇବା କଷ୍ଟକର ହୋଇପଡୁଥିବା ଚୌଦ୍ୱାର ବନପାଳ ଜ୍ୟୋତି ରଞ୍ଜନ ମହାପାତ୍ର କହିଛନ୍ତ। ୧୮ଟି ହାତୀ ମଧ୍ୟରୁ ୨ଟି ହାତୀ ଛତିଷାପାଟ ଅଭିମୁଖେ ଯାଇଥିବା ଜନୈକ ବନ କର୍ମଚାରୀ କହିଛନ୍ତି। ବନ କର୍ମଚାରୀ ହାତୀଙ୍କୁ ଘଉଡ଼ାଇବାରେ ବିଫଳ ହୋଇଥିବା ବେଳେ ଧାନ ବିଲକୁ ହାତୀପଲ ନ ପଶିବା ପାଇଁ ଗ୍ରାମବାସୀ ନିଅାଁହୁଳା ଜାଳି ଜଗି ରହିିଥିବା ଦେଖାଦେଇଥିଲା।