ରାଜ୍ୟ ସରକାରଙ୍କ ଇ-କମର୍ସ, ପୋର୍ଟାଲ ଉନ୍ମୋଚିତ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ସରକାରୀ ଡାଏରୀ, କ୍ୟାଲେଣ୍ଡର ଓ ଅନ୍ୟ ପ୍ରକାଶନ ବିକ୍ରୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇ-କମର୍ସ ପୋର୍ଟାଲ ଉନ୍ମୋଚିତ ହୋଇଛି। କୃଷି ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ପୋର୍ଟାଲକୁ ମଙ୍ଗଳବାର ଲୋକସେବା ଭବନରେ ଉନ୍ମୋଚିତ କରିଛନ୍ତି। www.ogpress.nic.in ନାମକ ଏହି ପୋର୍ଟାଲର ଉପଯୋଗ କରାଯାଇ ଡାଏରୀ, କ୍ୟାଲେଣ୍ଡର କିଣାଯାଇପାରିବା ସହ ଏଥିରେ ସରକାରୀ ନୋଟିସ ନିୟମାବଳୀ ସମ୍ପର୍କିତ ପ୍ରକାଶନ ଓ ସରକାରୀ ରିପୋର୍ଟ ଉପଲବ୍ଧ ହେବ।

ସୂଚନାଯୋଗ୍ୟ ଯେ ଏନ୍ଆଇସି, ଏଚଡିଏଫସି ବ୍ୟାଙ୍କ ଓ ଇଣ୍ଡିଆ ପୋଷ୍ଟ୍ ସହଭାଗିତାରେ ଏହି ପୋର୍ଟାଲଟିକୁ ପ୍ରସ୍ତୁତ କରାଯାଇଛି। ନୂଆବର୍ଷ ପାଇଁ ୫୦ ହଜାର ଡାଏରୀ ସହ ୪ ଲକ୍ଷ ୪୦ ହଜାର ଛପାବହି ପ୍ରସ୍ତୁତ ହୋଇ ରହିଛି। ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗ ସଚିବ ଜି.ଶ୍ରୀନିବାସନ୍, ସରକାରୀ ମୁଦ୍ରଣାଳୟର ନିର୍ଦ୍ଦେଶକ ମହେନ୍ଦ୍ର ପ୍ରତାପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।