ଭୋଟ୍ ବେଳେ ପରୀକ୍ଷା, ପଞ୍ଚାୟତ ନିର୍ବାଚନରୁ ବଞ୍ଚିତ ହେବେ ୫ରୁ ୭ଲକ୍ଷ ଯୁବ ଭୋଟର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଉ ୩ ଦିନ ପରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ଏନେଇ ସବୁ ସଜବାଜ ଶେଷ ହୋଇଛି ମାତ୍ର ନିର୍ବାଚନ ସମୟରେ କିଛି ପିଲାଙ୍କ ପରୀକ୍ଷା ରହିଥିବାରୁ ଲକ୍ଷାଧିକ ଯୁବ ଭୋଟର ଭୋଟିଂରୁ ବଞ୍ଚିତ ହେବାକୁ ଯାଉଛନ୍ତି।

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ ଅନେକ ବୃତ୍ତିଗତ ଓ ବୈଷୟିକ କଲେଜରେ ସେମିଷ୍ଟାର ପରୀକ୍ଷା ରହିଥିବା ବେଳେ ଏନେଇ ପ୍ରାୟ ୫ ରୁ ୭ ଲକ୍ଷ ଯୁବ ଭୋଟର ପଞ୍ଚାୟତ ନିର୍ବାଚନ ଭୋଟିଂରୁ ବଞ୍ଚିତ ହେବେ ବୋଲି ଜଣା ପଡିଛି।

ତେବେ ଏନେଇ ଆଜି ଏସଇସିଙ୍କ ଦ୍ୱାରସ୍ଥ ହୋଇଛି ରାଜ୍ୟ ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘ। ଆସନ୍ତା ୧୪ରୁ ୨୪ ତାରିଖ ମଧ୍ୟରେ ଅଫଲାଇନ୍ ପରୀକ୍ଷା ଥିବାରୁ ଏହି ଭୋଟର ମାନେ ଭୋଟିଂରୁ ବଞ୍ଚିତ ହେବେ ବୋଲି ସଂଘ ଏସଇସିଙ୍କୁ ଜଣାଇଛି।

ଅନ୍ୟପଟେ ଏହା ଅସାମ୍ବିଧାନିକ ବୋଲି ସଂଘ ଦାବି କରିଛି ଓ ଏଭଳି ନିଷ୍ପତି ଉପରେ ଯଥାଶୀଘ୍ର ରୋକ୍ ଲଗାଇବାକୁ ଓ ଭୋଟିଂ ସମୟରେ ସମସ୍ତ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରିବା ପାଇଁ ସଂଘ ପକ୍ଷରୁ ଏସଇସିଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି