ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଏକାଧିକ ଘାଟି ରାସ୍ତା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଚଳିତ ବର୍ଷ ଶ୍ରାନିକେତାର ଜାତୀୟ ରାଜପଥ ଘାଟି ରାସ୍ତାରେ ଭୂସ୍ଖଳନ ହେବା ଭୟ ଲୋକଙ୍କୁ ଆତଙ୍କିତ କରୁଛି । ଉକ୍ତ ଘାଟିରେ ଏକାଧିକ ପାଇନ ଗଛ ଉପୁଡ଼ିବା ସହ ବଡ଼ ବଡ଼ ପଥର ପଡ଼ିଥିବା ନଜିର ରହିଥିବାବେଳେ ଏବେ ମଧ୍ୟ ଅନେକ ପାଇନ ଗଛର ଚେରରେ ଅଳ୍ପ ମାଟି ଲାଗି ରହିଥିବାରୁ ସେହି ରାସ୍ତାଦେଇ ଲୋକେ ଯାତାୟାତ କରିବାକୁ ଭୟ କରୁଛନ୍ତି । ରାଜପଥ ସମ୍ପ୍ରସାରଣ ପରେ ଗାର୍ଡଓାଲ ନିର୍ମାଣରେ ତ୍ରୁଟି ଯୋଗୁ ଏହି ସଙ୍କଟ ବଢ଼ି ଚାଲିଛି । ଏବେ ଉକ୍ତ ପାଇନ ବୃକ୍ଷର ସୁରକ୍ଷା ଓ ମୃତ୍ତିକ ସଂରକ୍ଷଣ ପାଇଁ ଜାତୀୟ ରାଜପଥ ବିଭାଗ ସହ ଆଲୋଚନା କରାଯାଇଛି । ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଲିଗୁଡ଼ା ଉପଖଣ୍ଡ ଏସିଏଫ୍ ସତିଶ କୁମାର ଧାରୁଆ କହିଛନ୍ତି । ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ିରେ ଥିବା ୩ ପ୍ରକାର ପାଇନ୍ ବୃକ୍ଷକୁ ପସନ୍ଦ କରନ୍ତି ତେଣୁ ଏହାର ସୁରକ୍ଷା ପ୍ରତି ଧ୍ୟାନ ଦେଉଛୁ ବୋଲି ସତିଶ କୁମାର କହିଛନ୍ତି । ସେହିପରି ଦାରିଙ୍ଗବାଡ଼ିରୁ ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି । ଉକ୍ତ ରାସ୍ତାର ପାଙ୍ଗାଲିଠାରୁ ଦାରିଙ୍ଗବାଡ଼ି ମଝିରେ ରହିଥିବା ଅଙ୍କାବଙ୍କା ରାସ୍ତା ସମ୍ପ୍ରସାରଣ କରାଯାଇଥିଲେ ସୁଦ୍ଧା ଘାଟି ଉପରେ ଯେଉଁଠି ପର୍ଯ୍ୟଟକମାନେ ପାହାଡ଼ ଉପରେ ଠିଆ ହୋଇ ଘାଟିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଏବେ ସେହି ସ୍ଥାନରେ ବଡ଼ ବଡ଼ ଫାଟ ହେବାସହ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ହେଲେ ଉକ୍ତ ଘାଟି ରାସ୍ତା ଭୂସ୍ଖଳନ ହୋଇପାରେ ବୋଲି ଅଞ୍ଚଳବାସୀ ଏବଂ ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକମାନେ ଆଶଙ୍କା କରିଛନ୍ତି । ଉକ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇନାହିଁ ଏବଂ ଶୀଘ୍ର ଗାର୍ଡୱାଲ କରାଯାଇ ବିପଦମୁକ୍ତ କରାଯିବ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ସ୍ୱାଇଁ କହିଛନ୍ତି ।