୧୦ ଦଫା ଦାବୀ ନେଇ ଡ୍ରାଇଭର ମହାସଂଘର ଧାରଣା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡ୍ରାଇଭର ମହାସଂଘ ପକ୍ଷରୁ ଧାରଣା ଦିଆଯାଇଥିବାବେଳେ ସଇଁନ୍ତଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସଂଘର ବ୍ଲକ ସଭାପତି ଲାଲୁ ପୌଢ଼ଙ୍କ ନେତୃତ୍ୱରେ ସଇଁନ୍ତଲା ଜାତୀୟ ରାଜପଥ ୨୬ ଲାଚୁଟ ଛକରେ ଡ୍ରାଇଭର ମହାସଂଘ ପକ୍ଷରୁ ଧାରଣା ଦିଆଯାଇଛି । କିଛି ଜରୁରୀକାଳୀନ ସେବାକୁ ବାଦ ଦେଲେ ୪ ଚକିଆ ଯାନକୁ ଅଟକାଇବା ସହ ବାଇକକୁ ଛଡ଼ା ଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭରଙ୍କ ପାଇଁ ୨୦ ଲକ୍ଷ ଟଙ୍କା ବିମାରାଶି, ୫୫ ବର୍ଷ ପରେ ପେନସନ ଓ ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଥିବା ଡ୍ରାଇଭରଙ୍କୁ ସୁରକ୍ଷା, ପ୍ରତି ୧୦୦ କିମିରେ ବିଶ୍ରାମସ୍ଥଳୀ, ଡ୍ରାଇଭରଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ, ଡ୍ରାଇଭରଙ୍କ ପିଲାଛୁଆଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ଓ ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା ଆଦି ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ପରେ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ସାମିଲ ହୋଇଥିଲେ । ଏଥିରେ ସଂଘର ବ୍ଲକ ଉପସଭାପତି ସନ୍ତୋଷ ବଗର୍ତ୍ତି, ସଂପାଦକ ନୀଳାଚଳ ରଣା, ବାରୁ ମହାନନ୍ଦ, ଜୁଗେଶ ରଣା, କୃଷ୍ଣଚନ୍ଦ୍ର ମାଝୀ, ବିନୋଦ ସାହୁ, କୁଞ୍ଜ ମହାକୁର, ଚଞ୍ଚଳ ରଣା, ସୁଧୀର ସାହୁ ଓ ଦେବେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।