ଭୁବନେଶ୍ୱର,ଏନ୍ଏନ୍ଏସ୍: ନାବାଳିକାମାନଙ୍କୁ ସୁରକ୍ଷା ଦେବା ପାଇଁ ଆସିଛି ପୋକ୍ସୋ ଆଇନ। ଏହି ଆଇନର ଦଫା ୨୩ ବଳରେ ଯୌନ ନିର୍ୟାତନାର ଶିକାର ହୋଇଥିବା ନାବାଳିକା ପରିଚୟ ଗୋପନ ରଖାଯିବ। ଏହି ଆଇନର ଧାରା ୪୪ ବଳରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଆଇନର ତର୍ଜମା/ଅନୁଧ୍ୟାନ କରୁଛନ୍ତି। କିନ୍ତୁ ଦେଖାଯାଉଛି କେତେକ କ୍ଷେତ୍ରରେ ଖୋଦ୍ ପୁଲିସ ପୀଡ଼ିତା ନାବାଳିକାର ପରିଚୟ ପ୍ରକାଶ କରୁଛି। କିଛି ଗଣମାଧ୍ୟମରେ ମଧ୍ୟ ପରିଚୟ ପ୍ରକାଶ କରାଯାଉଛି। ଯାହା ନାବାଳିକାର ଭବିଷ୍ୟତ ଜୀବନକୁ ପ୍ରଭାବିତ କରୁଛି। ଏଭଳି ଜାଣିବା ପରେ ଏବେ କଠୋର ହୋଇଛି । କୌଣସି ପରିସ୍ଥିତିରେ ନାବାଳିକାର ନାଁ କିମ୍ବା ପରିଚୟ ପ୍ରକାଶ କରାଯିବ ନାହିଁ ବୋଲି ପୁଲିସ ଡିଜିଙ୍କୁ ଚିଠି ଲେଖା ଯାଇଛି। ନାମ ଗୋପନ ରଖିବା ପାଇଁ ପୁଲିସ ଅଧିକାରୀମାନଙ୍କୁ କି ଆଦେଶ ଦିଆଯାଇଛି କିମ୍ବା କ’ଣ ପଦକ୍ଷେପ ନିଆଯାଇଛି, ତାହା ଜାନୁଆରି ୩୦ ତାରିଖ ସୁଦ୍ଧା ଜଣାଇବାକୁ କୁହାଯାଇଛି।
ଏଥିସହ ପୀଡ଼ିତା ନାବାଳିକାର ନାମ, ଫଟୋ, ଘର, ଥାନା, ସ୍କୁଲ, ପରିବାର ବିବରଣୀ, ପଡ଼ୋଶୀ ତଥା ଏଭଳି କିଛି ବି ଯାହାକୁ ଅନୁଧ୍ୟାନ କଲେ ନାବାଳିକାର ପରିଚୟ ଜାଣି ହୋଇଯିବ ତାହା କୌଣସି ପରିସ୍ଥିତିରେ ପ୍ରକାଶ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଏପରି ତଥ୍ୟ କୌଣସି ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ପ୍ରକାଶ କରାଯାଇ ପାରିବ ନାହିଁ କିମ୍ବା ଏହାକୁ ନେଇ କୌଣସି ମତମନ୍ତବ୍ୟ ଦିଆଯାଇ ପାରିବ ନାହିଁ। ଏହାର ଉଲ୍ଲଂଘନ ହେଲେ ସେଥିପାଇଁ ସମ୍ପୃକ୍ତ ସଂସ୍ଥା ବା ବ୍ୟକ୍ତି ଦାୟୀ ରହିବେ। ତେବେ ଯଦି ଏହାକୁ ବିଚାର କରୁଥିବା କୋର୍ଟ ଅନୁଭବ କରିବେ ଯେ ପରିଚୟ ପ୍ରକାଶିତ ହେଲେ ସମ୍ପୃକ୍ତ ନାବାଳିକାର ସ୍ବାର୍ଥ ସାଧନ ହୋଇପାରିବ, ତେବେ ଯାଇ କୋର୍ଟଙ୍କ ଆଦେଶ ବଳରେ ହିଁ ତାହା ପ୍ରକାଶ ଯୋଗ୍ୟ ହେବ।