କରୋନା ସ୍ଥିତି ପରଖିଲେ ସାଂସଦ ସୁରେଶ ପୁଜାରୀ

ଝାରସୁଗୁଡା,ଏନ୍ଏନ୍ଏସ୍ : କରୋନା ଭୁତାଣୁର ସଂକ୍ରମଣରୁ ଦେଶ ତଥା ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ସାମାଜିକ ଦୁରତ୍ୱ ରକ୍ଷା କରି ସମସ୍ତଙ୍କୁ ଘରେ ରହିବା ପାଇଁ ସରକାର ଅନୁରୋଧ କରୁଛନ୍ତି। ଏଥିପାଇଁ ଲୋକଙ୍କୁ ସଚେତନ କରିବା ସହ ଗରିବ, ଦିନ ମଜୁରିଆ, ଅସହାୟ ଲୋକଙ୍କୁ ଖାଦ୍ୟ ମଧ୍ୟ ଯୋଗାଉଛନ୍ତି। ସରକାରଙ୍କ ଏହି ସଚେତନତା ବାର୍ତାକୁ ଆଜି ବରଗଡ ସାଂସଦ ସୁରେଶ ପୂଜାରୀ ତୃଣମୂଳ ସ୍ତରରେ ପହଂଚାଇ ବେଲପାହାଡ, ବ୍ରଜରାଜନଗର, ବନ୍ଧବାହାଲ ଅଂଚଳର ଅସହାୟ ଲୋକଙ୍କୁ ଖାଇବା, ସାବୁନ, ମାସ୍କ ଆଦି ପ୍ରଦାନ କରିବା ସହ କୋରନାର ସ୍ଥିତି ପରଖିଛନ୍ତି। ସେ ଆଜି ଝାରସୁଗୁଡା ଜିଲ୍ଲା ବନ୍ଧବାହାଲର ଏମସିଏଲ ହସ୍ପିଟାଲରେ କୋରାନା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିବା ୫୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ ସେଣ୍ଟରୁ ପରିଦର୍ଶନ କରିବା ସହ ସେଠାରେ ଥିବା ସମସ୍ତ ଚିକିତ୍ସା ସାମଗ୍ରୀର ତଦାରଖ କରିଥିଲେ ।

 ସେଠାରେ କୋଭିଡ ମୁକାବିଲା ପାଇଁ ଉପସ୍ଥିତ ଥିବା ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ। ସେହିପରି ବେଲପାହାଡ ଓ ବ୍ରଜରାଜନଗର ପୌରାଂଚଳ ପରିଦର୍ଶନ କରି ପୌର ଅଧିକାରୀଙ୍କ ଠାରୁ କୋରନା ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ପଚାରି ବୁଝିଥିଲେ। ଏହାସହ ଏହି ଅଂଚଳର ଲୋକଙ୍କୁ ଖାଇବା ପ୍ରଦାନ କରିବା ସହ ଘରେ ରହି କୋରନା ମୁକାବିଲାରେ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି କହିଥିଲେ। କରୋନାକୁ ହରାଇ ଦେଶକୁ କରୋନା ଭୁତାଣୁ ମୁକ୍ତ କରିବାକୁ ହେଲେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପରସ୍ପର ମଧ୍ୟରେ ସାମାଜିକ ଦୁରତ୍ୱ ବଜାୟ ରଖି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଘରେ ରହିବାକୁ ହେବ ।

ସ୍ୱଚ୍ଛତା ଅବଳମ୍ବନ କରି ବାରମ୍ବାର ହାତକୁ ଧୋଇବା ସହ ମାସ୍କର ବ୍ୟବହାର କରିବାକୁ ପଡିବ ବୋଲି ସେ ଲୋକଙ୍କୁ କହିଥିଲେ। ଏହି ଅବସରରେ କରୋନା ମୁକାବିଲା ପାଇଁ ସାଂସଦଙ୍କ ମାଧ୍ୟମରେ ବେଲପାହାଡ ଟାଇଗର କ୍ଲବ ୧୧ ହଜାର ଟଙ୍କାର ଚେକ, ପ୍ରଦୀପ ପଣ୍ଡା ୧୧ ହଜାର ଓ ବିକାଶ କୁମାର ଅଗ୍ରୱାଲ ୧୧ଶହ ଟଙ୍କାର ଚେକ ପ୍ରଧାନ ମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି।