ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାର ୪୯ନଂ ଜାତୀୟ ରାଜପଥର ସଂମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ଶ୍ରମିକମାନେ ବିନା ସେଫ୍ଟି ଡ୍ରେସ ପିନ୍ଦି କାମ କରୁଥିବା ଦେଖାଯାଇଛି। ସୂଚନା ଅନୁସାରେ ମୋଣ୍ଟେକାର୍ଲ ନାମକ ଏକ ଠିକାସଂସ୍ଥା ଏହି କାର୍ଯ୍ୟ ନିଜ ହାତକୁ ନେଇଥିବା ବେଳେ ଶ୍ରମିକ ମାନଙ୍କୁ ବିନା ସୁରକ୍ଷା ପ୍ରଦାନ କରି କାମ କରାଉଥିବା ନଜର ଆସିଛି। ରାସ୍ତା ସମ୍ପ୍ରସାରଣ ବେଳେ ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସେଗୁଡ଼ିକୁ ଉଠାଯାଉଛି।
ଏହି ପରିପ୍ରେକ୍ଷୀରେ ବିନା ସେଫ୍ଟି ଡ୍ରେସ ଓ ବିନା କୌଣସି ସିଡ଼ିରେ ବିଦ୍ୟୁତ୍ ଖୁଣ୍ଟ ଉପରେ ଦୁଇ ଜଣ ଶ୍ରମିକ ବିପଦ ସଂକୁଳ ଅବସ୍ଥାରେ କାର୍ୟ୍ୟ କରୁଥିବା ଦେଖାଯାଇଛି। ଏହାକୁ ସ୍ଥାନୀୟ ଲୋକମାନେ ବିରୋଧ କରିଥିବା ସତ୍ତେ୍ୱ ସେମାନଙ୍କୁ ବେଖାତିର କରି ପାଖା ପାଖି ୨ଘଣ୍ଟା ପର୍ଯ୍ୟନ୍ତ ଏକ ପୋକଲେନ ମେସିନର ବକେଟ ଉପରେ ଦୁଇ ଶ୍ରମିକଙ୍କୁ ଠିଆ କରାଇ କାମ କରାଇଥିଲେ କତ୍ତୃପକ୍ଷ। ତେବେ ଏ ଖବର ଆମ ପ୍ରତିନିଧିଙ୍କ ପାଖରେ ପହଞ୍ଚିବା ପରେ ଆମ ପ୍ରତିନିଧି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲେ।
ତେବେ ଆମ ପ୍ରତିନିଧି ସେଠାରେ ପହଞ୍ଚି ସମାନ ଚିତ୍ର ଦେଖିବାକୁ ପାଇଥିଲେ। ତେବେ ବକେଟ ଉପରେ ଦୁଇ ଶ୍ରମିକ ପାଖାପାଖି ୧୫ଫୁଟ ଉଚ୍ଚରେ ଛିଡା ହୋଇ କାମ କରୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ମୋଣ୍ଟେକାର୍ଲ କର୍ତ୍ତୃପକ୍ଷ ଶ୍ରୀ ପଟ୍ଟନାୟକଙ୍କୁ ଫୋନଯୋଗେ ଯୋଗାଯୋଗ କରି ଅବଗତ କରାଇବା ପରେ ସମ୍ପ୍ରସାରଣ କାର୍ୟ୍ୟ ଆମେ କରୁଥିବା ବେଳେ ବିଦ୍ୟୁତ୍ ତାର ସଂଯୋଗ କାମ ଏକ ଘରୋଇ କମ୍ପାନୀ ଠିକା ମାଧ୍ୟମରେ କରୁଅଛି ବୋଲି କହିଥିଲେ। ଏଥି ପ୍ରତି ଦୃଷ୍ଟି ଦେଇ ଶ୍ରମିକମାନଙ୍କ ସୁରକ୍ଷା ଉପରେ କର୍ତ୍ତୃପକ୍ଷ ଦାଇତ୍ଵବାନ ହେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତିି।