ଆଉ ୨ ଦିନ ପ୍ରବଳ ଶୀତ, ୧ରୁ ବର୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆହୁରି ଦୁଇଦିନ ରାଜ୍ୟରେ ହାଡ଼ ଭଙ୍ଗା ଶୀତ ଜାରି ରହିବ। ଯଦିଓ ତାପମାତ୍ରାରେ ସାମନ୍ୟ ବୃଦ୍ଧି ଘଟିବା କାରଣରୁ ଶୀତର ପ୍ରକୋପ ଆଗ ଅପେକ୍ଷା କମିବ, ମାତ୍ର କିଛି ସ୍ଥାନରେ ଅସହ୍ୟ ଜାଡ଼ ଅପରିବର୍ତ୍ତି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଜାରି ହୋଇଥିବା କୋଲ୍ଡ ୱେଭ୍କୁ କେନ୍ଦ୍ର ପକ୍ଷରୁ ଏବେ ବି ବଳବତ୍ତର ରଖାଯାଇଥିବା ବେଳେ ସୋମବାର ୧୩ ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ବଲାଙ୍ଗିର ଆଦି ଜିଲ୍ଲା ରହିଥିବା ବେଳେ ଏଠାରେ ପ୍ରବଳ ଶୀତ ଅନୂଭୁତ ହେବ।

ଏହି ପରିସ୍ଥିତି ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଲାଗି ରହିବା ସହିତ ୨ ତାରିଖଠାରୁ ପାଗରେ ପରିବର୍ତ୍ତନ ଆସିବ। ଏହାସହିତ ୨ ଓ ୩ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଅନ୍ୟପଟେ ଏବେ ବି ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ସହରରେ ୯ ଡିଗ୍ରୀ ତଳେ ପାରଦ ରହିଥିଲା। ସୋନପୁରରେ ନିୟମିତ ଭାବେ ତାପମାତ୍ରା ହ୍ରାସ ପାଇବା ସହିତ ରବିବାର ଦିନ ଏଠାରେ ତାପମାତ୍ରା ୩.୪ ଡିଗ୍ରୀ ସେଲ୍ସିୟସ ରହିଥିଲା। ସେହିପରି ଅନୁଗୁଳରେ ବି ଅସହ୍ୟ ଶୀତ ସହ ଏଠାରେ ୪.୬, ଫୁଲବାଣୀରେ ୫, ଦାରିଙ୍ଗବାଡ଼ିରେ ୫.୫, ଟିଟିଲାଗଡ଼ରେ ୬.୧, ଭବନୀପାଟଣାରେ ୬.୫ ଓ ବାଲେଶ୍ୱର ଜିଲ୍ଲାରେ ତାପମାତ୍ରା ୮.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ସେହିପରି ଶନିବାର ପରି ରବିବାର ମଧ୍ୟ ରାଜ୍ୟର କିଛି ସ୍ଥାନରେ ତୁଷାରପାତ ହୋଇଥିଲା। ଅସହ୍ୟ ଥଣ୍ଡା ସାଙ୍ଗକୁ କିଛି ସ୍ଥାନରେ ଘନ କୁହୁଡ଼ି ଲାଗି ରହୁଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ରାଜ୍ୟରେ ଏଭଳି ପରିସ୍ଥିତିକୁ ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ରବିବାର ସାରା ରାଜ୍ୟରେ ପ୍ରାୟ ୬ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ହ୍ରାସ ପାଇଥିଲା। ଏଥିପାଇଁ ପଶ୍ଚିମ ଓଡ଼ିଶା ବିଶେଷ କରି ସୋନପୁର, ବଲାଙ୍ଗିର, ବୌଦ୍ଧା ଆଦି ଅଞ୍ଚଳରେ ଅଧିକ ଥଣ୍ଡା ଅନୂଭୁତ ହୋଇଥିଲା। ଉତ୍ତର ଦିଗରୁ ପବନ ଆସୁଥିବାରୁ ଏହା ଥଣ୍ଡା କରାଉଥିଲା। ତେବେ ଏହି ପବନର ଗତି କମ୍ ରହିବା ସହିତ ସବୁଆଡ଼କୁ ବିଞ୍ଚୁଡ଼ିତ ହୋଇପଡ଼ୁଥିଲା।

ଏହି କାରଣ ପାଇଁ ଥଣ୍ଡାର ପ୍ରକୋପ ଅଧିକ ରହୁଥିଲା। ମାତ୍ର ୨୯ ତାରିଖଠାରୁ ସାରା ରାଜ୍ୟରେ ଥଣ୍ଡା କମିଛି ଓ ୩୦ରେ ପାଗ ମେଘୁଆ ରହିବ। ବର୍ତ୍ତମାନ ରାଜ୍ୟକୁ ବଙ୍ଗୋପ ସାଗରୀୟ ପବନ ବୋହୁଛି ଏଥିପାଇଁ ଥଣ୍ଡା ଜାରି ରହିଛି। ତେବେ ୧ ତାରିଖ ଠାରୁ ରାଜ୍ୟକୁ ଆରବ ସାଗରୀୟ ପବନ ସିଧା ବୋହିବ। ଏହି ପବନରେ ଅଧିକ ଜଳୀୟ ବାଷ୍ଫ ରହିବା ସହିତ ଏହିଦିନ ଉତ୍ତରପ୍ରଦେଶରେ ଏକ ଗୁରୁଚାପ ସୃଷ୍ଟି ହେବ। ଏହି ଗୁରୁଚାପର ବାହ୍ୟ ବଳୟ ଦେଇ ପବନ ଓଡ଼ିଶାକୁ ଆସିବାର ସମ୍ଭାବନା ରହିଛି। ତେଣୁ ଥଣ୍ଡା ପବନ ସହିତ ବାୟୁର ମିଶ୍ରଣ ପରେ ନିମ୍ନ ମଧ୍ୟମ ଓ ଉପର ବାୟୁମଣ୍ଡଳରେ ମେଘ ସୃଷ୍ଟି ହେବ।

ଏହାପରେ ତାପମାତ୍ରା କମିବା ସହିତ ପାଗରେ ପରିବର୍ତ୍ତନ ଆସିବ। ୧ରେ ଉତ୍ତର ପଶ୍ଚିମ ଓଡ଼ିଶା ସମ୍ବଲପୁରରୁ ସୁନ୍ଦରଗଡ ପର୍ଯ୍ୟନ୍ତ ବର୍ଷା ହେବା ସହ ୨ ରେ ସାରା ରାଜ୍ୟରେ ବର୍ଷା ହେବ। ବିଶେଷ କରି ପୁରୀଠାରୁ ସମ୍ବଲପୁର ପର୍ଯ୍ୟନ୍ତ ସଂଯୋଗ କରୁଥିବା ସରଳ ରେଖାର ଉତ୍ତରରେ ଥିବା ସବୁ ଜିଲ୍ଲାରେ ଭାରି ବର୍ଷା ହେବ। ଭୁବନେଶ୍ୱରରେ ମଧ୍ୟ ମଧ୍ୟମରୁ ଭାରି ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।

ସେହିପରି ମୟୂରଭଞ୍ଜ ଓ ଏହାର ସଂଲଗ୍ନ ଅଞ୍ଛଳରେ ୨ ତାରିଖ ଦିନ ଉପରବେଳାରୁ ୩ ତାରିଖ ସକାଳ ପର୍ଯ୍ୟନ୍ତ ଭାରୀ ବର୍ଷା ହେବାର ଥିବା ବେଳେ ୩ ତାରିଖ ଉପରବେଳାଠାରୁ ୪ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଭାରି ବର୍ଷା ହେବ। ଏହି ବର୍ଷା ବିଶେଷ କରି ଓପର ବେଳାରୁ ଆରମ୍ଭ ହୋଇ ସକାଳ ପର୍ଯ୍ୟନ୍ତ ହେବାର ଅଧିକ ସମ୍ଭାବନା ରହିଛି। ଏହା ବ୍ୟତୀତ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ସବୁଆଡ଼େ ପାଗ କୋହଲା ରହିବା ସହିତ ଦିନର ତାପମାତ୍ରା ପ୍ରାୟ ୮ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଦିନ ବେଳା ସୂର୍ଯ୍ୟ କିରଣ ନପଡ଼ିବାରୁ ଦିନରେ ମଧ୍ୟ ରାତି ଭଳି ଥଣ୍ଡା ଲାଗିବ।