‘ଏନ୍‌ଡିଏ’ ନିର୍ଦ୍ଦେଶକ ହେଲେ ଚିତ୍ତରଂଜନ ତ୍ରିପାଠୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ପାଇଁ ଗୌରବ ଆଣିଲେ ଚାନ୍ଦବାଲିର ପୁଅ ଚିତ୍ତରଂଜନ ତ୍ରିପାଠୀ । ଦିଲ୍ଲୀ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା(ଏନଏସଡି)ର ନିର୍ଦ୍ଦେଶକ ହେଲେ ଚିତ୍ତରଞ୍ଜନ ତ୍ରିପାଠୀ । ପ୍ରଥମ ଓଡ଼ିଆ ଭାବେ ସେ ଏହି ପଦବୀରେ ଅଳଙ୍କୃତ ହୋଇଛନ୍ତି ।

ଚିତ୍ତରଞ୍ଜନ ଏକାଧାରରେ ଜଣେ ଅଭିନେତା, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ଗାୟକ, ସଂଗୀତକାର, ନିର୍ଦ୍ଦେଶକ ଓ ପ୍ରଯୋଜକ । ସେ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଧଉଳି ଏକ୍ସପ୍ରେସ’ ଓ ‘ମୁଖ୍ୟମନ୍ତ୍ରୀ’ର ନିର୍ଦ୍ଦେଶନା ଦେଇଥିଲେ । ଉଭୟ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଥିଲେ । ‘ଧଉଳି ଏକ୍ସପ୍ରେସ’ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହାଛଡ଼ା ସେ କେତେକ ହିନ୍ଦୀ ଚଳଚ୍ଚିତ୍ର, ଧାରାବାହିକ ଓ ୱେବ ସିରିଜରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲେ ।

ନେଟଫ୍ଲିକ୍ସରେ ପ୍ରସାରିତ ‘ସାକ୍ରେଡ୍ ଗେମ୍ସ’ରେ ତ୍ରିଦେବୀ ଚରିତ୍ରରେ ଚମତ୍କାର ଅଭିୟନ କରିଥିଲେ ଚିତ୍ତରଞ୍ଜନ ତ୍ରିପାଠୀ । ଏହାଛଡ଼ା ସେ ବିଭିନ୍ନ ରାଜ୍ୟରେ ନିଜର ନାଟ୍ୟ ପ୍ରଶିକ୍ଷଣ ଓ ନାଟ୍ୟ କର୍ମଶାଳା ପାଇଁ ଲୋକପ୍ରିୟ ହୋଇଥିଲେ । ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ବିଶ୍ୱର ଏକ ପ୍ରମୁଖ ଥିଏଟର ତାଲିମ ପ୍ରତିଷ୍ଠାନ ଭାବେ ଜଣାଶୁଣା । ସଂଗୀତ ନାଟକ ଏକାଡେମୀ ଦ୍ୱାରା ଏହି ପ୍ରତିଷ୍ଠାନ ୧୯୫୯ ମସିହାରେ ପ୍ରତିଷ୍ଠା ହୋଇଥିଲା । ୧୯୭୫ ମସିହାରେ ଏହା ଏକ ସ୍ୱୟଂଶାସିତ ସଂସ୍ଥା ଭାବରେ ପରିଣତ ହୋଇଥିଲା । ନାଟ୍ୟକାର ଚିତ୍ତରଂଜନ ତ୍ରିପାଠୀ ୧୯୯୬ ମସିହାରେ ଏନ୍‌ଏସ୍‌ଡିରୁ ପାସ କରିଥିଲେ । ସୁପ୍ରସିଦ୍ଧ ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ହେଉଛନ୍ତି ଚିତ୍ତରଂଜନଙ୍କ ବ୍ୟାଚମେଟ ।