ବେଜିଂ,ଏଜେନ୍ସି: କରୋନାର ଉତ୍ପତ୍ତିସ୍ଥଳ ଚୀନର ଉହାନରେ ଏହି ରୋଗରେ ୨୫୭୯ ଜଣ ପ୍ରାଣ ହରାଇଥିଲେ ବୋଲି ପୂର୍ବରୁ ବେଜିଂ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଚୀନ୍ ସରକାର ଏହି ମୃତ୍ୟୁ ସଂଖ୍ୟାରେ ସଂଶୋଧନ କରିଛନ୍ତି। କରୋନାରେ ୩୮୬୯ ଜଣ ପ୍ରାଣ ହରାଇଥିବା ରାଷ୍ଟ୍ରାୟତ୍ତ ଟିଭିରେ ଶୁକ୍ରବାର କୁହାଯାଇଛି। ପୂର୍ବ ମୃତ୍ୟୁସଂଖ୍ୟା ଠାରୁ ଏହା ୫୦% ଅଧିକ। ଅର୍ଥାତ୍ ୧୨୯୦ ଜଣ ଅଧିକ ଲୋକ ପ୍ରାଣ ହରାଇଥିବା ସଂଶୋଧିତ ହିସାବରେ ଦର୍ଶାଯାଇଛି ।
ସୂଚନା ଯୋଗ୍ୟ, ଚୀନ୍ କରୋନା ମୃତ୍ୟୁସଂଖ୍ୟା ଲୁଚାଉଛି ବୋଲି ଅନ୍ତର୍ଜାତୀୟ ମହଲରେ ବାରମ୍ବାର ଅଭିଯୋଗ ହେବା ପରିପ୍ରେକ୍ଷୀରେ ବେଜିଂ ପକ୍ଷରୁ ଶୁକ୍ରବାର ଏହି ସଂଶୋଧିତ ହିସାବ ପ୍ରଦାନ କରାଯାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍ ମୃତ୍ୟୁସଂଖ୍ୟା ଲୁଚାଉଛି ବୋଲି ଖୋଲାଖୋଲି ଅଭିଯୋଗ କରିଥିଲେ ଏବଂ ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମର୍ଥନ କରୁଥିବା ଦର୍ଶାଇ ସେ ଏହି ସଂଗଠନକୁ ଆମେରିକା ଦେଉଥିବା ପାଣ୍ଠି ହ୍ରାସ କରିବାକୁ ଘୋଷଣା କରିଥିଲେ। ଏହି ଘଟଣା ପରେ ପରେ ଚୀନ୍ ଉହାନ୍ ମୃତ୍ୟୁ ସଂଖ୍ୟାରେ ସଂଶୋଧନ କରିଛି ।
ଚୀନର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ପୂର୍ବରୁ ଉହାନରେ ମୃତ୍ୟୁ ହାର ୫.୮% ରହିଥିଲାବେଳେ ସଂଶୋଧିତ ହାର ୭.୭% ରହିଛି। ଗତବର୍ଷ ଡିସେମ୍ବର ଶେଷ ବେଳକୁ ଉହାନରେ କରୋନା ଭୂତାଣୁର ସଂକ୍ରମଣ ଦେଖାଦେଇଥିଲା। ଏବେ କରୋନା ୨୧୦ଟି ଦେଶକୁ ପ୍ରଭାବିତ କରିଛି। ଉହାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ବଢ଼ିଯାଇଥିଲା ଯେ ରୋଗୀଙ୍କୁ ହସ୍ପଟାଲରେ ଆଉ ବେଡ୍ ମିଳିନଥିଲା। ଅନେକ କରୋନା ରୋଗୀ ଘରେ ପ୍ରାଣ ହରାଇଥିଲେ। ଚୀନ୍ ସରକାର ଏହି ମୃତ୍ୟୁକୁ ସରକାରୀ ତଥ୍ୟରେ ସାମିଲ କରିନଥିବା କୁହାଯାଉଛି।