କରୋନା ମୁକାବିଲାରେ କୁନି ପିଲାଙ୍କ ବଦାନ୍ୟତା

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଆଗେଇ ଆସିଥିବାବେଳେ ଏବେ ଏହି ତାଲିକାରେ କିଛି କୁନି ପିଲା ମଧ୍ୟ ସାମିଲ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ହେମନ୍ତ ନାମକ ଏକ ୪ ବର୍ଷର ପିଲା ତଡ଼େପଲ୍ଲୀ ସ୍ଥିତ ବାଇଏସ୍ଆରସିପୀ ଅଫିସରେ ରାଜ୍ୟମନ୍ତ୍ରୀ ପେରନୀ ଭେଙ୍କଟେଶଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୯୭୧ ଟଙ୍କା ପ୍ରଦାନ କରିଛନ୍ତି। ହେମନ୍ତ ସାଇକେଲ କିଣିବା ପାଇଁ ଏହି ଟଙ୍କା ସଞ୍ଚୟ କରିଥିଲେ। ପିଲାଟିର ଏଭଳି ସାହାଯ୍ୟ କରିବାର ମନୋବୃତ୍ତିରେ ମନ୍ତ୍ରୀ ଭେଙ୍କଟେଶ ଖୁସି ହୋଇ ତାଙ୍କୁ ସାଇକେଲ କିଣିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ଼ ସଂଗମା ତାଙ୍କ ଟ୍ୱିଟର ଆକାଉଣ୍ଟ ଜରିଆରେ ମାୟନ ନାମକ ଏକ ଶିଶୁ କରୋନା ସହ ଲଢ଼ିବା ପାଇଁ ୧୫୦୧ ଟଙ୍କା ଦାନ କରିଥିବା ସୂଚନା ଦେଇଛନ୍ତି। ମାୟନ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି। ସେହିପରି ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ମଧ୍ୟ ୭ ବର୍ଷର ଜଣେ ଶିଶୁ ରୋମେଲମୁନ୍ସଂଗା ୩୩୩ ଟଙ୍କା ପ୍ରଦାନ କରିଛନ୍ତି। ଏହି ସୂଚନା ନିଜେ ମୁଖ୍ୟମନ୍ତ୍ରୀ ଟ୍ୱିଟ ମାଧ୍ୟମରେ ଦେଇଛନ୍ତି।