ସିଏଏକୁ ନେଇ ବିହାରରେ ଉତ୍ତେଜନା, ମଇଁଷି ଶରୀରରେ ପୋଷ୍ଟର ଲଗାଇ ଏହାକୁ କଳା ଆଇନ ଦର୍ଶାଇଲେ ଲୋକେ

ପଟନା,ଏଜେନ୍ସି: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନଆରସି) ବିରୋଧରେ ବିହାରରେ ମଧ୍ୟ ଆନ୍ଦୋଳନ ତେଜିଛି। ଏ ନେଇ ଶନିବାର ଆରଜେଡି ପକ୍ଷରୁ ବିହାର ବନ୍ଦପାଳନ କରାଯାଇଛି। ସକାଳୁ ରାଜ୍ୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ମହାମେଣ୍ଟର ସହଯୋଗୀ ଦଳଗୁଡ଼ିକ ମଧ୍ୟ ଆରଜେଡିକୁ ସମର୍ଥନ କରିଛନ୍ତି। ବନ୍ଦ ସମୟରେ କୌଣସି ହିଂସା ଆଶଙ୍କାରେ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ବିକ୍ଷୋଭକାରୀଙ୍କର ଯଦି କୌଣସି କ୍ଷତି କରେ ତେବେ ପରିଣତି ଅତ୍ୟନ୍ତ ଭୟଙ୍କର ହେବ ବୋଲି ଆରଜେଡି ନେତା ତଥା ତେଜସ୍ୱୀ ଯାଦବ କଡ଼ା ଚେତାବନୀ ଦେଇଛନ୍ତି।
ବିହାରର ହାଜିପୁରରେ ଆରଜେଡି କାର୍ୟ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆନ୍ଦୋଳନକାରୀମାନେ ହାଜିପୁର-ମୁଜଫରପୁର ୨୨ନମ୍ବର ଜାତୀୟ ରାଜପଥର ଭଗବାନପୁରଠାରେ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି। ଏହା ସହିତ ଆରଜେଡି କାର୍ୟ୍ୟକର୍ତ୍ତାମାନେ ମଇଁଷିମାନଙ୍କୁ ଧରି ଜାତୀୟ ରାଜପଥ ଅବରୋଧ କରିଛନ୍ତି। ମଇଁଷିଙ୍କ ଶରୀରରେ ପୋଷ୍ଟର ଲଗାଯାଇଛି, ଯେଉଁଥିରେ ସିଏଏକୁ କଳା ଆଇନ ବୋଲି ଦର୍ଶାଯାଇଛି। ଏହି କଳା ଆଇନ ଚଳିବ ନାହିଁ ବୋଲି ପୋଷ୍ଟରରେ ଉଲ୍ଲେଖ କରି ପ୍ରତିବାଦ କରିଛନ୍ତି।