ଶାଳୀନତା ଟପୁଛନ୍ତି ବିଜେପି ନେତା : ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ ୍: ବିଜେପି ବିଧାୟକ ତଥା ବିଧାନସଭାରେ ବିରୋଧିଦଳର ଉପନେତା ବିଷ୍ଣୁ ସେଠୀ ସାମ୍ବାଦିକ ସମ୍ମିଳନୀରେ ଯେଭଳି ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିଛନ୍ତି ତାହା ଜଣେ ବିଧାୟକଙ୍କ ମୁହଁରେ ଶୋଭା ପାଏନାହିଁ। ବିଧାୟକ ହିସାବରେ ନିଜର ପଦ ମର୍ଯ୍ୟାଦା ସହିତ ଗାରିମା ରକ୍ଷା ଦୃଷ୍ଟିରୁ ଶ୍ରୀ ସେଠୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପ୍ରତ୍ୟାହାର ପାଇଁ ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ ଦେଇଥିବା ମନ୍ତବ୍ୟର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ, ଶ୍ରୀ ସେଠୀ ଶାଳୀନତାର ସୀମା ଟପିଛନ୍ତି। ଦୀର୍ଘବର୍ଷ ଧରି ଓଡିଶା ରାଜନୀତିରେ ଏଭଳି ଅଶାଳୀନ ଶବ୍ଦ ବ୍ୟବହାର ଆଦୌ ଲକ୍ଷ୍ୟ କରାଯାଇନଥିଲା କି କୌଣସି ସ୍ଥିତିରେ ଜଣେ ବିଧାୟକଙ୍କ ଠାରୁ ଏଭଳି ଆଶା କରାଯାଏ ନାହିଁ।

ଶ୍ରୀ ସେଠୀ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ବିଧାନସଭାରେ ଉତ୍‍ଥାପନ ପାଇଁ ତାଙ୍କ ହାତରେ ଯଥେଷ୍ଟ ସମୟ ଥିଲା। ହେଲେ ବିଧାନସଭା ଅଧିବେଶନ କାଳରେ ତାହା ନକରି ଗୃହ ମୁଲତବି ପରେ ସାମ୍ବାଦିକ ସମ୍ମିଳନୀ କରିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ଗତକାଲିର ବିଧାନସଭା ଅଧିବେଶନ ବନ୍ଦ ନେଇ ଶ୍ରୀ ସେଠୀ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି। ଏହି ପ୍ରସଙ୍ଗକୁ ସେ ଗତକାଲି ବିଧାନସଭାରେ ଉଠାଇ ପାରିଥାନ୍ତେ ବୋଲି ଡକ୍ଟର ପାତ୍ର କହିଛନ୍ତି। ସେହିଭଳି ଧାନ ସଂଗ୍ରହ ପାଇଁ ମଣ୍ଡିରେ ଦଲାଲଙ୍କ ପ୍ରାର୍ଦୁଭାବ ହ୍ରାସ ପାଇଁ ଟୋକନ ବ୍ୟବସ୍ଥା ହୋଇଥିବାବେଳେ ଶ୍ରୀ ସେଠୀ ଏହାକୁ ବିରୋଧ କରୁଛନ୍ତି। ଏହା ଫଳରେ ଧାନ ବିକ୍ରିରେ ବିଧାୟକ ଶ୍ରୀ ସେଠୀ ଦଲାଲ ବ୍ୟବସ୍ଥାକୁ ପ୍ରୋତ୍ସାହନ କରୁଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ଡକ୍ଟର ପାତ୍ର କହିଛନ୍ତି।