ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମୁସୁକୁଲି ଘାଟିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ କାର୍ତ୍ତିକ ମାଝୀ । କାର୍ତ୍ତିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, କାର୍ତ୍ତିକ ମାଝୀ ଓ ଭୀମସେନ ମାଝୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ବ୍ୟକ୍ତିଗତ କାର୍ଯ୍ୟ ସାରି ନିଜ ଗାଁ କଳାହାଣ୍ଡି ଜିଲ୍ଲାର ଲୁବେନଗଡ଼ ପଞ୍ଚାୟତର କାଲିସରୁ ଗ୍ରାମକୁ ବାଇକ ଯୋଗେ ଯାଉଥିଲେ । ଏହି ସମୟରେ ବାଲିଗୁଡ଼ା ଥାନା ମୁସୁକୁଲି ଘାଟିରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ମାଇଲ ମିଟର ଖୁଣ୍ଟରେ ବାଇକ ବାଡ଼େଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ବାଲିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।