କ୍ୟାପଟେନ ମିରାଜଙ୍କ ସଚେତନ ପଦକ୍ଷେପ ଯୋଗୁ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତଲା ଭୁବନେଶ୍ୱର-ବାଙ୍ଗାଲୋର ଏୟାର ଏସିଆ ବିମାନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱରରୁ ବାଙ୍ଗାଲୋର ଯାଉଥିବା ଏୟାର ଏସିଆ ବିମାନ ଏକ ନିଶ୍ଚିନ୍ତ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଉକ୍ତ ବିମାନରେ ଯାତ୍ରୀ ଥିବା ଜଣେ ପାଇଲଟଙ୍କ ସଚେତନ ପଦକ୍ଷେପ ଯୋଗୁ ବିମାନରେ ଥିବା ୧୭୦ରୁ ଊର୍‌ଦ୍ଧ୍ୱ ଯାତ୍ରୀ, ୨ଜଣ ପାଇଲଟ ଓ ୪ଜଣ ବିମାନ ପରିଚାରିକାଙ୍କ ଜୀବନ ରକ୍ଷା ପାଇଛି । ବିମାନରେ ଯାତ୍ରୀ ଥିବା ସମ୍ପୃକ୍ତ ପାଇଲଟ ଜଣକ ହେଉଛନ୍ତି କ୍ୟାପଟେନ ମିରାଜ ୟୁଷା ।

ମିଳିଥିବା ରିପୋର୍ଟ ମୁତାବକ, ଏୟାର ଏସିଆ ବିମାନ ଏୟାର ବସ୍‌-୩୨୦ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପ୍ରାୟ ୫ଟା ୪୫ ମିନିଟରେ ଉଡ଼ାଣ ଭରିଥିଲା । କ୍ୟାପଟେନ ମିରାଜ ସିଟ୍ ନମ୍ବର-୧ ଏଫରେ ଝରକା ପାଶ୍ୱର୍ରେ ବସିଥିଲେ । ବିମାନଟି ଟେକଅପ କରିବାର ମାତ୍ର ୧/୨ ମିନିଟ୍ ମଧ୍ୟରେ ଇଞ୍ଜିନ ବାହାର ପାଶ୍ୱର୍ରେ ଏକ ଶଦ୍ଦ ହୋଇଥିଲା ଯାହାକୁ କ୍ୟାପଟେନ ମିରାଜ ଶୁଣି ପାରିଥିଲେ । କ୍ୟାପଟେ ମିରାଜଙ୍କୁ ଝରକା ଗ୍ଲାସରୁ ଇଞ୍ଜିନର ବାହାର ପାଶ୍ୱର୍ ସମ୍ପୂର୍ଣ୍ଣ ରୂପେ ଦେଖାଯାଉଥିଲା । ସେଥିରେ ସେ ଇଞ୍ଜିନରେ କିଛି ମାଡ଼ ହୋଇଥିବା ଅନୁମାନ କରିଥିଲେ । ପରେ ଇଞ୍ଜିନର ଇନର କାଓଲ କ୍ଷତିଗ୍ରସ୍ତ ହୋଇଛି ଏବଂ ଫ୍ୟାନ୍ ବ୍ଲେଡରେ ସ୍ପାର୍କିଂ ହେଉଥିବା କ୍ୟାପଟେନ ମିରାଜ ଦେଖିଥିଲେ । ଏଭଳି ସ୍ଥିତିରେ ବିମାନ ଅଧିକ ସମୟ ଉଡ଼ାଣ କରିବା ନିଶ୍ଚିତ ବିପଦ ବୋଲି କ୍ୟାପଟେନ ମିରାଜ ଜାଣି ସାରିଥିଲେ । ତେଣୁ ସେ କୌଣସି ସହଯାତ୍ରୀଙ୍କୁ ନ ଜଣାଇ କେବଳ ବିମାନ ପରିଚାରିକାଙ୍କୁ ଡାକି ତୁରନ୍ତ କ୍ୟାପଟେନଙ୍କୁ ଅବଗତ କରିବାକୁ କହିଥିଲେ । ପରିଚାରିକା ଜଣକ ତୁରନ୍ତ ଯାଇ ସେହି ବିମାନର ପାଇଲଟ ଥିବା କ୍ୟାପଟେନ୍ ଏମ୍ ଦୀପକଙ୍କୁ ଜଣାଇଥିଲେ । ସେଥିପାଇଁ ବୋଧହୁଏ ଦକ୍ଷିଣ ପାଶ୍ୱର୍ ଇଞ୍ଜିନରେ ଆଲାରାମ ବାଜୁଛି ବୋଲି କ୍ୟାପଟେନ ଦୀପକ ତାଙ୍କୁ କହିଥିଲେ । ତମେ ଯାଇ କ୍ୟାପଟେନ ମିରାଜଙ୍କୁ ମୋ ଧନ୍ୟବାଦ ଜଣାଇବା ସହିତ ଇଞ୍ଜିନ ଉପରେ ନଜର ରଖିବାକୁ ତାଙ୍କୁ ଅନୁରୋଧ କର ବୋଲି କହିଥିଲେ । ପରିଚାରିକା ଆସି କ୍ୟାପଟେନ ମିରାଜଙ୍କୁ କ୍ୟାପଟେନ ଦୀପକଙ୍କ ଅନୁରୋଧ ଜଣାଇବା ସହିତ ଇଞ୍ଜିନ ଉପରେ ନଜର ରଖିବାକୁ କହିଥିଲେ । ସେତିକି ବେଳେ ବିମାନଟି ତୀବ୍ର ବେଗରେ ଟେକଅପ୍ କରୁଥିଲା ତା’ପରେ କ୍ୟାପଟେନ ଦୀପକ ଇଞ୍ଜିନକୁ ସ୍ଲୋ କରିବା ସହିତ ବେଗ କମାଇ ଧୀରେ ଧୀରେ ଭୁବନେଶ୍ୱର ଆଡ଼କୁ ମୁହାଁଇଥିଲେ । ସେତିକିବେଳକୁ କ’ଣ ହେଉଛି ଯାତ୍ରୀମାନେ କିଛି ବୁଝିପାରୁ ନଥିଲେ । ବିମାନ ପରିଚାରିକା କାହିଁକି ସିଟ୍ ନମ୍ବର-୧ ଏଫରୁ କକପିଟକୁ ବାରମ୍ବାର ଯା’ଆସ କରୁଛନ୍ତି ତାହା ଜାଣିବାକୁ ଯାତ୍ରୀମାନେ ଉଦବିଗ୍ନ ହୋଇ ପଡ଼ିଥିଲେ । କେହି କେହି କିଛି ଘଟିଛି ଭାବି ଭୟଭୀତ ହୋଇ ପଡ଼ିଥିଲେ । ସେତିକି ବେଳେ କ୍ୟାପଟେନ ଦୀପକ ପୁରା ବିମାନଟିକୁ ଭୁବନେଶ୍ୱର ଆଡ଼କୁ ବୁଲାଇ ସାରିଥିଲେ । ବିମାନରେ ୨ ଘଣ୍ଟାର ଉଡ଼ାଣ ପାଇଁ ତେଲ ଭର୍ତ୍ତି ହୋଇ ରହିଥିଲା । ତେଣୁ ବିମାନର ଓଜନ କମାଇବା ପାଇଁ କ୍ୟାପଟେନ ଦୀପକ ଭୁବନେଶ୍ୱର ବିମାନ ବନ୍ଦର ଉପରେ ପ୍ରାୟ ୨୦ ମିନିଟ୍ ଧରି ବିମାନଟିକୁ ବୁଲାଇ ଥିଲେ । ତା’ପରେ କ୍ୟାପଟେନ ଦୀପକ ନିରାପଦର ସହ ସେଫ୍ଟି ବେ-୧୦ରେ ବିମାନଟିକୁ ଅବତରଣ କରାଇଥିଲେ । ପୂର୍ବରୁ ସେଠାରେ ଦମକଳ ସହ ଫାୟର ଷ୍ଟାଫ ପ୍ରସ୍ତୁତ ହୋଇ ରହିଥିଲେ । ସେପର୍ଯ୍ୟନ୍ତ ଯାତ୍ରୀମାନେ ଘଟଣା ସମ୍ବନ୍ଧରେ କିଛି ଅବଗତ ନଥିଲେ ମଧ୍ୟ କିଛି ଅସୁବିଧା କାରଣରୁ ବିମାନ ଫେରିଲା ବୋଲି ଧରି ନେଇଥିଲେ । କ୍ୟାପଟେନ ମିରାଜଙ୍କ ସଚେତନ ପଦକ୍ଷେପ ଓ କ୍ୟାପଟେନ ଦୀପକଙ୍କ ନିରାପଦ ଅବତରଣ ଯୋଗୁ ସଭିଙ୍କ ଜୀବନ ରକ୍ଷା ହୋଇ ପାରିଥିଲା । ଘଟଣାକୁ ନେଇ ଯାତ୍ରୀମାନେ ଜାଣିବା ପରେ କ୍ୟାପଟେନ ମିରାଜ ଓ କ୍ୟାପଟେନ ଦୀପକଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ତାଳିମାରି ଧନ୍ୟବାଦ ଜଣାଇଥିଲେ ।