କେନ୍ଦ୍ରାପଡ଼ା,ଏନ୍ଏନ୍ଏସ : ବଉଳା କୁମ୍ଭୀର ଗଣନାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୬ ତାରିଖଠାରୁ ୨୦୨୦ ଜାନୁଆରୀ ୪ ତାରିଖ ଯାଏ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି।
ଖବରରୁ ପ୍ରକାଶ, ପ୍ରତିବର୍ଷ ଜାତୀୟ ଉଦ୍ୟାନ ପରିସରଭୁକ୍ତ ନଦୀନାଳରେ ଥିବା ବଉଳା କୁମ୍ଭୀର ଡିସେମ୍ବର ଶେଷ ସପ୍ତାହ ବେଳକୁ ଉପରକୁ ଉଠିଆସନ୍ତି। ଏହି ସମୟରେ ସେମାନଙ୍କୁ ଗଣନା କରିବାରେ ସହାୟକ ହୋଇଥାଏ। ତେବେ ପର୍ଯ୍ୟଟକମାନଙ୍କ ସମାଗମ ହେଲେ କୁମ୍ଭୀର ଗଣନାରେ ସମସ୍ୟା ସୃଷ୍ଟିହେବାର ଆଶଙ୍କାରେ ବନ ବିଭାଗ ପକ୍ଷରୁ ଡିସେମ୍ବର ୨୬ରୁ ଜାନୁଆରୀ ୪ ତାରିଖଯାଏ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖିିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟ ଭିତରକନିକାକୁ ପର୍ଯ୍ୟଟକ ମାନଙ୍କର ପ୍ରବେଶକୁ ନିଷେଧ କରାଯାଇଛି। ଏଥିସହିତ ଭିତରକନିକା ସହିତ ଡାଙ୍ଗମାଳ ଓ ରଗଡ଼ାପାଟିଆ ଅଞ୍ଚଳକୁ ପର୍ଯ୍ୟଟକମାନଙ୍କ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ୧୯୭୫ ରେ ଭିତରକନିକାର ଡାଙ୍ଗମାଳରେ ବିଶିଷ୍ଟ ଅଷ୍ଟ୍ରେଲୀୟ ପ୍ରାଣୀ ବିଜ୍ଞାନୀ ଏଚ. ଆର. ବଷ୍ଟାର୍ଡ ଓ ଗବେଷକ ଡଃ ସୁଧାକର କରଙ୍କ ପରିଚାଳନାରେ କୁମ୍ଭୀର ପ୍ରଜନନ କେନ୍ଦ୍ର ସ୍ଥାପନ ହୋଇଥିଲା। ଏକାସମୟରେ ମଧ୍ୟ ଦେଶର ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକର ୩୪ଟି ସ୍ଥାନରେ ଲୁଣା କୁମ୍ଭୀର ଓ ମଗର କୁମ୍ଭୀର ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଥିିଲା। ମାତ୍ର ଏହି ୩୪ ଗବେଷଣା କେନ୍ଦ୍ର ମଧ୍ୟରୁ କେବଳ ଭିତରକନିକାର ଡାଙ୍ଗମାଳ କେନ୍ଦ୍ର ସଫଳ ହୋଇଥିବା ଜଣାପଡିଛିି।