ବାଟେଘାଟେ କାର୍ଯ୍ୟକ୍ରମରେ ଭିଡ଼: ପ୍ରଶାସନିକ ଅଧିକାରୀଙ୍କ ରାମ୍ପ ସୋ’ ଆଜିର ମୁଖ୍ୟ ଆକର୍ଷଣ ଜିଲ୍ଲାରାଜ୍ୟ By Nitidin On Jan 5, 2020 Share ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଟେଘାଟେ କାର୍ଯ୍ୟକ୍ରମ ଚଳିତ ବର୍ଷ ପ୍ରଥମ ରବିବାରରେ ଆରମ୍ଭ ହୋଇଯାଇଛି। ଗତବର୍ଷ ଠାରୁ ମାସର ପ୍ରଥମ ରବିବାରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହା ଅନୁଷ୍ଠିତ ହୋଇଛି। ଏ ନେଇ ସ୍ଥାନୀୟ ପ୍ରଧାନପାଟ ରୋଡ ଠାରେ ବାଟେଘାଟେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ଗତବର୍ଷ ମଧ୍ୟ ସମଗ୍ର ଅଞ୍ଚଳ ଉତ୍ସବ ମୁଖରିତ ହୋଇ ଉଠିଥିଲା। ରାସ୍ତା ଉପରେ ସୁନ୍ଦର ରଙ୍ଗୋଲୀ କାର୍ଯ୍ୟକ୍ରମ ସ୍ଥଳିକୁ ଆସୁଥିବା ଜନସାଧାରଣଙ୍କ ଆଖି ଖୋସି ଦେଉଥିବା ବେଳେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ନୃତ୍ୟ ଦେଖିବାକୁ ନାହିଁ ନଥିବା ଜନଗହଳି ଦେଖାଯାଇଥିଲା। ଆଜିର ବାଟେଘାଟେ କାର୍ଯ୍ୟକ୍ରମରେ ରାମ୍ପ ସୋ’ ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଧରମ ହାଂସଦାଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ମହିଳା ଓ ପୁରୁଷ ଅଧିକାରୀମାନେ ଏହି ରାମ୍ପ ସୋ’ରେ ଅଂଶ ଗ୍ରହଣ କରିଛନ୍ତି। ସେହିପରି ସେଲଫି ପଏଣ୍ଟରେ ସେଲଫି ନେବା ପାଇଁ ଜନସାଧାରଣଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖାଯାଇଥିଲା। ବିଭିନ୍ନ ଘରୋଇ ବ୍ୟାଙ୍କ ଓ ଅନୁଷ୍ଠାନ ପକ୍ଷରୁ ବିସ୍କୁଟ, ଚା’ ଓ ପିଇିବା ପାଣି ଯୋଗାଇ ଦିଆଯାଉଥିବା ବେଳେ ଜନଗହଳିକୁ ଦେଖି ଚାଟ, ଆଇସକ୍ରିମ ଓ ଗୁପଚୁପ ଦୋକାନୀ ପସରା ମେଲାଇଥିବା ଦେଖିବାକୁ ମିଳିଥିଲା। ସେହିପରି ପ୍ରଧାନପାଟକୁ ବଣଭୋଜି ପାଇଁ ବିଭିନ୍ନ ସ୍ଥାନରୁ ଆସିଥିବ ପର୍ଯ୍ୟଟକମାନେ ମଧ୍ୟ ବାଟେଘାଟେ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିବା ଦେଖିବାକୁ ମିଳିଥିଲା। Share