ଭୁବନେଶ୍ୱର : ଭୁବନେଶ୍ୱର, କଟକ, ପୁରୀ, ଛତ୍ରପୁର, ବ୍ରହ୍ମପୁର ଓ କୋରାପୁଟ ସହର ବ୍ୟତୀତ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ଥିବା ଅନ୍ୟ ସମସ୍ତ ବ୍ୟାଙ୍କଗୁଡ଼ିକ ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଖୋଲାରହିବ। ଏସବୁ ବ୍ୟାଙ୍କ ଗୁଡ଼ିକରେ ଗ୍ରାହକ ସେବା ସକାଳ ୮ଟାରୁ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ଲକଡାଉନ ଏବଂ ଗ୍ରୀଷ୍ମପ୍ରବାହ ପାଇଁ ଉପଭୋକ୍ତାଙ୍କ ସୁବିଧା ନିମନ୍ତେ ବ୍ୟାଙ୍କ କାର୍ଯ୍ୟ ସକାଳୁଆ କରାଯିବାକୁ ସ୍ଥିର ହୋଇଛି । ଲକଡାଉନ ଅବଧି ଶେଷ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । ଏହି ସମୟରେ ସମସ୍ତ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦଶ ଅପରିବର୍ତ୍ତିତ ରଖାଯାଇଛି। ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୨୨ରେ ଥିବା ବ୍ୟବସ୍ଥା ଅନୁସାରେ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ପକ୍ଷରୁ ଏହି ନିର୍ଦେଶନାମା ଜାରି କରାଯାଇଛି।