ବିବାଦରେ ଫସିଲେ ବବିତା

ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇଥିବା କରୋନା ଏବେ ସମଗ୍ର ବିଶ୍ୱକୁ ବ୍ୟାପି ସାରିଛି। ଭାରତରେ ମଧ୍ୟ କରୋନା ପ୍ରକୋପ ଜାରି ରହିଥିବାବେଳେ ୧୩ ହଜାରରୁ ଅଧିକ ସଂକ୍ରମିତ ଓ ୪୫୨ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଏଭଳି ସ୍ଥିତିରେ ଷ୍ଟାର କୁସ୍ତିଯୋଦ୍ଧା ତଥା ବିଜେପି ନେତ୍ରୀ ବବିତା ଫୋଗତ ନିକଟରେ ତବଲୀଗୀ ଜମାତକୁ ନେଇ ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍ ପରେ କିନ୍ତୁ ତାଙ୍କୁ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ୍ କରାଯାଉଛି। ଏମିତି କି ‘ସସ୍ପେଣ୍ଡ ବବିତା ଫୋଗତ୍’ ନାମକ ଏକ ହେଶଟ୍ୟାଗ୍ ଟ୍ୱିଟରରେ ଟ୍ରେଣ୍ଡ କରୁଛି। କିନ୍ତୁ ଏସବୁ ସତ୍ୱେ ବବିତା ଏକ ଭିଡିଓ ଜାରି କରି ସବୁ ଟ୍ରୋଲରଙ୍କୁ ଶକ୍ତ ଚାପୁଡ଼ା ମାରିଛନ୍ତି। ସେ କହିଛନ୍ତି, ‘ସମସ୍ତେ କାନ ଖୋଲିକି ଶୁଣନ୍ତୁ ମୁଁ ଜାଇରା ୱାସିମ ନୁହେଁ ଯିଏକି ଆପଣଙ୍କ ଧମକ ଶୁଣି ଚୁପଚାପ ବସିଯିିବ। ମୁଁ ବବିତା ଫୋଗତ୍ ପୂର୍ବରୁ ଦେଶ ପାଇଁ ଲଢ଼ିଛି, ଆଉ ଆଗକୁ ମଧ୍ୟ ଲଢ଼ିବି।’