ମୁର୍ଷୁଣ୍ଢୀ ହାଇସ୍କୁଲରେ ପୁରସ୍କାର ବିତରଣୀ ଉତ୍ସବ

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ମୁର୍ଷୁଣ୍ଢୀ ସ୍ଥିତ ରଘୁନାଥ ହାଇସ୍କୁଲରେ ସୋମବାର ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ କାଳିଆ କର୍ମୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟଅତିଥି ଏବଂ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ମନୋଜ କୁମାର ସାହୁ, ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର, ସମିତିସଭ୍ୟା ରୀତାରାଣୀ ଗର୍ଡିଆ ଓ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ମନୋଜ କୁମାର ନାଏକ, ଲୁତୁରପଙ୍କ ହାଇସ୍କୁଲର ପ୍ରଧାନଶିକ୍ଷକ ହିମାଂଶୁ ଶେଖର କର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରୀଛାତ୍ରଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।

ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶିକ୍ଷକ ନିଳାମ୍ବର ମେହେର ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିତା ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ସଚିଦା ନନ୍ଦ ବେରିହା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମମତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସଭାପରେ ଛାତ୍ରୀଛାତ୍ରମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ରୀଛାତ୍ର, ଅବିଭାବକ, ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତା ଓ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ।