ଆଂଚଳିକ ଶିଳ୍ପ କେନ୍ଦ୍ର ତରଫରୁ ପ୍ରବନ୍ଧ ଓ ଚିତ୍ରକଳା ପ୍ରତିଯୋଗିତା

ଋାୟଗଡା,ଏନ୍ଏନ୍ଏସ୍ : ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ବିକାଶ ସଂସ୍ଥା ତଥା ଆଂଚଳିକ ଶିଳ୍ପ କେନ୍ଦ୍ର ରାୟଗଡା ଆନୁକୁଲ୍ୟରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ଉଚ୍ଚବିଦ୍ୟାଳୟ (ଜିସିଡି )ଠାରେ ପ୍ରବନ୍ଧ ଓ ପାରମ୍ପରିକ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଆୟୋଜିତ ପ୍ରତିଯୋଗିତାରେ ଜିଲ୍ଲାର ୧୩୬ ଜଣ ପ୍ରତିଯୋଗୀ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ୧୦୫ ଜଣ ପ୍ରତିଯୋଗୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଂଚଳିକ ଶିଳ୍ପ କେନ୍ଦ୍ରର ଆଇପିଓ ସବ୍ୟସାଚୀ ସାହୁ, କୁମାରୀ ଜୟଶ୍ରୀ ଡୁଙ୍ଗଡୁଙ୍ଗ, ଅନା ଗୌଡ ଏବଂ ଏ.ଏସ.ଖାନ ଯୋଗ ଦେଇଥିଲେ।

ଜିସିଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଶିଭୂଷଣ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ ପ୍ରତିଯୋଗିତା ସଂପନ୍ନ ହୋଇଥିଲା। ପ୍ରତିଯୋଗିତାକୁ ଶିକ୍ଷକ ଅଶୋକ ଦାସ, କୃଷ୍ଣଚନ୍ଦ୍ର ସାହୁକାର ଓ ଶିକ୍ଷୟତ୍ରୀ କାଂଚନ ସାହୁ ପରିଚାଳନା କରିଥିଲେ। ସ୍ୱରୋଜଗାର ଅଭିବୃଦ୍ଧିରେ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଭୂମିକା ନେଇ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଚିତ୍ରକଳାରେ ଆଦିବାସୀ ଅଳଙ୍କାର ଉପରେ ଆଧାରିତ ଥିଲା। କୃତି ପ୍ରତିଯୋଗୀମାନଙ୍କୁୁ ଭାରତ ସରକାରଙ୍କ ତରଫରୁ ପ୍ରମାଣ ପତ୍ର ସହ ପ୍ରଥମ ବିଜେତାଙ୍କୁ ୧୦ ହଜାର, ଦ୍ୱିତୀୟ ବିଜେତାଙ୍କୁ ୭ ହଜାର ୫୦୦ ଏବଂ ତୃତୀୟ ବିଜେତାଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।