ଛାତ୍ରୀଙ୍କୁ ଡାକ୍ତର ମାଡ଼ ମାରିବା ଘଟଣା: ଡାକ୍ତରଙ୍କ ସପକ୍ଷରେ ଧାରଣାରେ ବସିଲେ ଅଞ୍ଚଳବାସୀ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଜଣେ ଛାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ନିଳମ୍ବିତ ହେବା ପରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଦାବିରେ ଆଜି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଅଞ୍ଚଳବାସୀ ଧାରଣା ଦେଇଛନ୍ତି। ଗତ ୨୯ ତାରିଖରେ କାଲିମେଳା ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଚିକିତ୍ସା ପାଇଁ ଆସିଥିବା ବେଳେ ଡା. ମୁକ୍ତିକାନ୍ତ ମଲ୍ଲିକ ଛାତ୍ରୀଙ୍କୁ ମାଡ଼ ମାରିଥିବା ସହ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ଦେଖାଦେଇଥିଲା।

ତେବେ ଏହି ଘଟଣା ପରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଓ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ମିଳିତ ଭାବେ ତଦନ୍ତ କରିଥିଲେ। ପରେ ତଦନ୍ତ ରିପୋର୍ଟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପଠାଇଥିଲେ। ଏହାପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏହାକୁ ପ୍ରତିବାଦ କରି ଗୁରୁବାର ସମ୍ପୃକ୍ତ ଅଞ୍ଚଳବାସୀ ଧାରଣା ଦେଇଛନ୍ତି। ଜିଲ୍ଲାର କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୨ୟ ଡାକ୍ତରଖାନା ଭାବେ କାର୍ଯ୍ୟକରୁଛି। ଏଠାରେ ୬ ଜଣ ଡାକ୍ତରଙ୍କ ସ୍ଥାନରେ ୨ଜଣ ଡାକ୍ତର ରହିଛନ୍ତି।

ଏହି ୨ଜଣ ଡାକ୍ତର କାଲିମେଳା ବ୍ଲକର୨୩ଟି ପଞ୍ଚାୟତ ଓ ପଡ଼ିଆ ବ୍ଲକର ୮ଟି ପଞ୍ଚାୟତବାସୀଙ୍କୁ ସେବା ଯୋଗାଇ ଆସୁଛନ୍ତି। ଏହା ବ୍ୟତୀତ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼ର ରୋଗୀମାନେ ମଧ୍ୟ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ତେବେ ୨୪ଘଣ୍ଟା ସେବା ଯୋଗାଇ ଆସୁଥିବା ଡକ୍ଟର ଶ୍ରୀ ମଲ୍ଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱାରା ରୋଗୀ ସେବା ବାଧାପ୍ରାପ୍ତ ହେବ ବୋଲି ଅଞ୍ଚଳବାସୀ ଅଭିଯୋଗ କରି ଧାରଣା ଦେବା ସହ ଦାବିପତ୍ରର ନକଲ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସଚିବ, ନବରଙ୍ଗପୁର ସାଂସଦ, ମାଲକାନଗିରି ବିଧାୟକ, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ, ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।